ଏଇ ଭାରତରେ

ଭାରତରେ ଏବେ ବାୟୋମେଡିକାଲ ଓ୍ବେଷ୍ଟ ବା ବର୍ଜ୍ୟ ଠୁଳ ହେବାରେ ଲାଗିଛି। ଏହିକୁ ପୁନଃ ଉପଯୋଗ କରି ଇଟା ତିଆରି କରୁଛନ୍ତି ଗୁଜରାଟର ବିନିଶ ଦେଶାଇ। ତାଙ୍କୁ ‘ରିସାଇକ୍ଲେ ମ୍ୟାନ୍‌’ ମଧ୍ୟ କୁହାଯାଉଛି। ସେ ମେଡିକାଲ, ସ୍କୁଲ, ସେଲୁନ, ବସ୍‌ଷ୍ଟାଣ୍ଡ୍‌ ଏବଂ ସର୍ବସାଧାରଣ ସ୍ଥାନରେ ‘ଇକୋ ବିନ’ ରଖି ବର୍ଜ୍ୟ ସଂଗ୍ରହ କରୁଛନ୍ତି। କରୋନା ଚିକିତ୍ସାରେ ବ୍ୟବହୃତ ପର୍ଶନାଲ ପ୍ରୋଟେକ୍‌ସନ ଇକ୍ୟୁପ୍‌ମେଣ୍ଟ (ପିପିଇ) ଯଥା ମାସ୍କ, ଗାଉନ୍‌ ଏବଂ ହେଡ୍‌ କଭରର ପୁନଃ ଉପଯୋଗ କରି ପରିବେଶ ଉପଯୋଗୀ ଏଭଳି ଇଟା ପ୍ରସ୍ତୁତ କରୁଛନ୍ତି। ଏଥିରେ ୫୨ ପ୍ରତିଶତ କାଗଜ ଶିଳ୍ପରୁ ମିଳୁଥିବା ବର୍ଜ୍ୟ ଓ ୩ ପ୍ରତିଶତ ଏକ ପ୍ରକାର ଅଠା ବ୍ୟବହାର କରୁଛନ୍ତି। ଏହି ଇଟାକୁ ସ୍ଥାନୀୟ ସରକାରୀ ପରୀକ୍ଷାଗାର ମଧ୍ୟ ସ୍ବୀକୃତି ଦେଇଛି । ୧୨ ଇଞ୍ଚ ଲମ୍ବ, ୮ ଇଞ୍ଚ ଚଉଡ଼ା ଓ ୪ ଇଞ୍ଚ ମୋଟା ଗୋଟିଏ ଇଟାରେ ୭ କେଜି ଓଜନର ବର୍ଜ୍ୟ ବ୍ୟବହୃତ ହେଉଛି। ଏହା ହାଲ୍‌କା, ଅଗ୍ନି ପ୍ରତିରୋଧୀ ଓ ଓ୍ବାଟରପ୍ରୁଫ୍‌ ଏବଂ ଗୋଟିଏ ଇଟାର ମୂଲ୍ୟ ୨.୮ ଟଙ୍କା। ସେପ୍ଟେମ୍ବରରୁ ଅଧିକ ଇଟା ତିଆରି କରାଯିବ ବୋଲି ବିନିଶ କହିଛନ୍ତି। ପିପିଇ ବର୍ଜ୍ୟ (କପଡ଼ା ସିଲେଇ ହୋଇ ନ ଥିବା) ‘ଇକୋ ବିନ୍‌’ରେ ଠୁଳ ହେବାପରେ ୭୨ ଘଣ୍ଟା ଯାଏ ତାହାକୁ ସ୍ପର୍ଶ କରାଯାଉନି। ପରେ ବର୍ଜ୍ୟକୁ ବିଶୋଧନ କରାଯାଇ ଇଟା ପ୍ରସ୍ତୁତିରେ ବ୍ୟବହାର କରାଯାଉଛି। ଏହି ଇଟାର ନାମ ରଖିଛନ୍ତି ପି-ବ୍ଲକ୍‌-୨ ବ୍ରିକ୍ସ। ବିନିଶ ବି-ଡ୍ରିମ୍‌ କମ୍ପାନୀ ଦ୍ୱାରା ଏହି ଇଟା ପ୍ରସ୍ତୁତ କରୁଛନ୍ତି।