ଏଇ ଭାରତରେ

ବୈଧବ୍ୟ ଯନ୍ତ୍ରଣାରୁ ମୁକୁଳି ୧୬,୦୦୦ ମହିଳାଙ୍କୁ ସଶକ୍ତ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ନିର୍ମାଲ ଚାନ୍ଦେଲ। ହିମାଚଳପ୍ରଦେଶର ମଣ୍ଡି ନିବାସୀ ନିର୍ମାଲଙ୍କ ସ୍ବାମୀଙ୍କର ହୃଦ୍‌ଘାତରେ ମୃତ୍ୟୁ ହେବା ପରେ ସେ ସେଠାକାର କୁତ୍ସିତ ପ୍ରଥାର ଶିକାର ହୋଇଥିଲେ। ସେତେବେଳକୁ ତାଙ୍କର ବୟସ ଥିଲା ୩୦। ତାଙ୍କୁ ଏକ ଅନ୍ଧାରିଆ ଘରେ ବିନା ପଙ୍ଖାରେ ରହିବାକୁ ପଡ଼ିଲା। ରଙ୍ଗିନ ଲୁଗା ପିନ୍ଧିବାକୁ କିମ୍ବା ପରିବାରର ଅନ୍ୟ ସଦସ୍ୟଙ୍କ ସହ ଏକାଠି ଖାଇବାକୁ ଦିଆଯାଉ ନ ଥିଲା। କୌଣସି ପାରିବାରିକ ଉତ୍ସବରେ ଉପସ୍ଥିତ ରହିବାର ସୁଯୋଗ ବି ତାଙ୍କ ଭାଗ୍ୟରେ ନ ଥିଲା। ଏସବୁ ଯନ୍ତ୍ରଣାଦାୟକ ସମୟକୁ ସାମ୍‌ନା କରିବା ପରେ ସ୍ବାବଲମ୍ବୀ ହେବା ଲାଗି ଏକ ଏନ୍‌ଜିଓରେ ସ୍ବଳ୍ପ ଦରମାରେ କାମ କଲେ। ପରେ ବିଧବାମାନଙ୍କୁ ସାହାଯ୍ୟ କରିବାକୁ ୨୦୦୫ରେ ଏନ୍‌ଜିଓ ଛାଡି ‘ଏକଲା ନାରୀ ଶକ୍ତି ସଂଗଠନ’ ଗଠନ କରିଥିଲେ। ଏହା ମାଧ୍ୟମରେ ୧୬,୦୦୦ ବିଧବା, ଅବିବାହିତ ତଥା ସ୍ବାମୀ ପରିତ୍ୟକ୍ତ ମହିଳାଙ୍କ ଜୀବନ ଜୀବିକା ଗଢ଼ିବାରେ ପ୍ରମୁଖ ଭୂମିକା ନେଇଛନ୍ତି। ସେ ଏକ ହ୍ବାଟ୍ସଆପ୍‌ ଗ୍ରୁପ କରି ବିଭିନ୍ନ ନିଯୁକ୍ତି ସୁଯୋଗ ସମ୍ପର୍କରେ ବିଧବାମାନଙ୍କୁ ଅବଗତ କରୁଛନ୍ତି। ତାଙ୍କ ସହଯୋଗରେ ଏଯାବତ ୧୫୦ରୁ ଊର୍ଦ୍ଧ୍ୱ ମହିଳା ଚାକିରି ପାଇବାକୁ ସକ୍ଷମ ହୋଇଛନ୍ତି। ରାଜ୍ୟରେ ବିଧବାମାନଙ୍କୁ ସ୍ବାସ୍ଥ୍ୟ ବୀମା, ରାଶନ କାର୍ଡ ଓ ସୁରକ୍ଷା ନିଶ୍ଚିତ କରାଯାଇପାରିଛି ବୋଲି କହନ୍ତି ୫୬ ବର୍ଷୀୟା ନିର୍ମାଲ।