ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌ ତଲୟା ପୁଷ୍କରିଣୀର ପୁନରୁଦ୍ଧାର କରିପାରିଛନ୍ତି। ଏହି ପୁଷ୍କରିଣୀରେ ଏବେ ଜଳଧାରଣ କ୍ଷମତା ବୃଦ୍ଧି ପାଇବା ସହ ପାଖ ଜମିକୁ ବର୍ଷର ସବୁ ସମୟରେ ଜଳସେଚନ ହୋଇପାରୁଛି। ୪.୨ ଏକର ପରିମିତ ୟାମ୍‌ ତଲୟାର ମୂଳ ପୁଷ୍କରିଣୀ ବିଷ୍ଣୁସାଗର ସହ ସଂଯୋଗ ରହିଛି। ହେଲେ ଏହା ପଙ୍କରେ ପୋତି ହୋଇଯାଇଥିଲା। ଅନଶୁଲ କମିଶନର ଭାବେ ନିଯୁକ୍ତ ହେବା ପରେ ସେ ଏନ୍‌ଭାଇରନ୍‌ମେଣ୍ଟାଲିଷ୍ଟ ଫାଉଣ୍ଡେଶନ ଅଫ୍‌ ଇଣ୍ଡିଆ (ଇଏଫ୍‌ଆଇ) ସହ ଯୋଗାଯୋଗ କରି ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏପରିକି ସ୍ଥାନୀୟ ସାମାଜିକ ସଙ୍ଗଠନ ଓ କଲେଜରୁ ପ୍ରାୟ ୧୨୫ ସ୍ବେଚ୍ଛାସେବୀ ତାଙ୍କ ଅଭିଯାନରେ ସାମିଲ ହୋଇଥିଲେ। ପୁନରୁଦ୍ଧାର କାର୍ଯ୍ୟରେ ମୋଟ ୬୦ ଲକ୍ଷ ଟଙ୍କା ବ୍ୟୟ ହୋଇଛି। ୧୦ ଲକ୍ଷ ଟଙ୍କା କର୍ପୋରେଟ୍‌ ସୋସିଆଲ ରେସ୍‌ପନସିବିଲିଟି (ସିଏସ୍‌ଆର୍‌) ଫଣ୍ଡରୁ ମିଳିଥିବାବେଳେ ଆଉ ୫୦ ଲକ୍ଷ ବିଭିନ୍ନ ବର୍ଗର ଲୋକଙ୍କଠାରୁ ଦାନ ଆକାରରେ ସଂଗ୍ରହ କରାଯାଇଥିଲା। ଅନଶୁଲ ଉଜ୍ଜୟିନୀର କମିଶନର ହେବା ପୂର୍ବରୁ ଉମରିଆ ଜିଲା ପଞ୍ଚାୟତର ସିଇଓ ଭାବେ ପାଖାପାଖି ୩୦ଟି ପୁଷ୍କରିଣୀ ପୁନରୁଦ୍ଧାର କରିଥିଲେ।

Dharitri – Odisha’s No.1 Odia Daily