ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ ନିର୍ମାଣ କରୁଛନ୍ତି। ଏହି ଦମ୍ପତି ବନ ବିଭାଗ ଓ ୪୦୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀଙ୍କ ସହଯୋଗରେ ଏବେ ସୁଦ୍ଧା ୧୧ଟି ଜଳାଶୟ କରିସାରିଲେଣି। ସେମାନେ ନୂଆ ପୋଖରୀ ଖୋଳିବା ସହି ପୋତି ହୋଇପଡ଼ିଥିବା ଜଳାଶୟର ପୁନରୁଦ୍ଧାର କରୁଛନ୍ତି । ଜଳାଶୟ ଚାରିପାଖରେ ପାଖାପାଖି ୭,୦୦୦ ଗଛ ଲଗାଯାଇଛି। ଏହା ‘ଅନନ୍ତ ନେରୁ ସଂରକ୍ଷଣ ପ୍ରୋଜେକ୍ଟ’ ମାଧ୍ୟମରେ କରାଯାଉଛି। ଏହା ଯୋଗୁ ଅନନ୍ତପୁର ଜିଲାର କଲ୍ୟାଣଦୁର୍ଗମ ଓ ରାୟଦୁର୍ଗମ ଅଞ୍ଚଳର ଗାଁଗୁଡ଼ିକରେ ଲାଗି ରହୁଥିବା ଜଳାଭାବ ଅନେକାଂଶରେ ଦୂର ହୋଇପାରିଛି। ବଡ଼ କଥା ହେଉଛି ଜଳାଶୟ ଥିବା ଅଞ୍ଚଳରେ ଭୂତଳ ଜଳସ୍ତର ବୃଦ୍ଧି ପାଇବା ଯୋଗୁ କମ୍‌ ଖର୍ଚ୍ଚରେ ବୋର୍‌ଓ୍ବେଲ ହୋଇପାରୁଛି। ଜଳାଶୟ ଯୋଗୁ ପରେ ଚାଷ ସହଜ ହୋଇପାରିଛି। କହିବାକୁ ଗଲେ ଜଳାଶୟ ଏବେ ଜୀବନରେଖା ପାଲଟିଯାଇଛି।

Dharitri – Odisha’s No.1 Odia Daily

Share