ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ। ଏଭଳି ଏକ ସଙ୍କଟଜନକ ସ୍ଥିତିକୁ ଭଲ ଭାବେ ଉପଲବ୍ଧିକରି ଆସାମ ଗୋଲଘାଟ ଜିଲାର ସ୍କୁଲ ଛାତ୍ରମାନେ ନିଆରା ପଦକ୍ଷେପ ନେଇଛନ୍ତି। ପକ୍ଷୀମାନଙ୍କ ପାଇଁ ସୁରକ୍ଷିତ ସ୍ଥାନ ନିଶ୍ଚିତ କରିବାରେ ସ୍ଥାନୀୟ ଲୋକଙ୍କୁ ଜଡ଼ିତ କରିପାରିଛନ୍ତି। ବୋଙ୍ଗାଓ ଛୋଲା ହାଇସ୍କୁଲର ୫୦୦ ଛାତ୍ରୀଛାତ୍ର ଗଛ ଲଗାଇବା ସହ ପକ୍ଷୀ ଅଣ୍ଡାଦେବା ସକାଶେ ଟେରାକୋଟା ବସା ତିଆରି କରୁଛନ୍ତି। ଏହି ବସାକୁ ଯତ୍ନର ସହ ବିଭିନ୍ନ ଗଛରେ ଏବଂ ଛାତ ଉପରେ ଲଗାଉଛନ୍ତି। ପକ୍ଷୀମାନେ ସେଠାରେ ଅଣ୍ଡା ଦେଉଛନ୍ତି। ପିଲାମାନେ ବିଶେଷକରି ଦେଶୀ ପ୍ରଜାତିର ଗଛ ଲଗାଉଛନ୍ତି, କାରଣ ଏହାର ଶାଖାରେ ପକ୍ଷୀମାନେ ସୁରକ୍ଷିତ ରହିବା ସହ ଖାଦ୍ୟ ପାଇପାରିବେ। ଏତିକିରେ ପିଲାଙ୍କର କାର୍ଯ୍ୟ ଅଟକି ଯାଇନାହିଁ, ସେମାନେ ପକ୍ଷୀ ଜୀବନକୁ ନେଇ ବିଭିନ୍ନ ପ୍ରଦର୍ଶନୀ ଆୟୋଜନ କରୁଛନ୍ତି। ଏଠାକୁ ସ୍ଥାନୀୟ ଲୋକଙ୍କୁ ଆମନ୍ତ୍ରଣକରି ସଙ୍କଟଜନକ ସ୍ଥିତିରେ ଥିବା ପକ୍ଷୀଙ୍କ ସମ୍ପର୍କରେ ସଚେତନ କରିପାରୁଛନ୍ତି। ଏପରିକି ସେମାନଙ୍କୁ ମଧ୍ୟ ଅଭିଯାନରେ ଜଡ଼ିତ କରିପାରୁଛନ୍ତି। ପକ୍ଷୀଜୀବନ ବଞ୍ଚାଇବା ଲାଗି ବୋଙ୍ଗାଓ ଛୋଲା ହାଇସ୍କୁଲର ପିଲାଙ୍କ ଅଭିଯାନ ଏବେ ପାଖ ଗାଁଗୁଡ଼ିକର ସ୍କୁଲ ପିଲାଙ୍କୁ ପ୍ରେରିତ କରିପାରିଛି।

Dharitri – Odisha’s No.1 Odia Daily

Share