ତାମିଲନାଡୁର କୋଏମ୍ବାଟୁରରେ ଜଳସଙ୍କଟ ଦୂର କରିବାରେ ମଣିକନ୍ଦନ ଆର୍ଙ୍କ ପଦକ୍ଷେପ ପ୍ରଶଂସନୀୟ। ସେଠାରେ ଥିବା ହ୍ରଦ ଓ ଅନ୍ୟ ଜଳଉତ୍ସଗୁଡ଼ିକର ଜଳଧାରଣ କ୍ଷମତା ହ୍ରାସ ପାଇବା ସହ ଅତ୍ୟଧିକ ପ୍ରଦୂଷଣ ଯୋଗୁ ଜଳ ବ୍ୟବହାରଯୋଗ୍ୟ ହୋଇପାରୁ ନ ଥିଲା। ଏହାର ସମାଧାନ ପାଇଁ ମଣିକନ୍ଦନ ହ୍ରଦ, ପୋଖରୀ ଓ କେନାଲର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସେ ସ୍କୁଲ୍ରେ ପଢ଼ୁଥିବା ସମୟରେ ଅଧାରୁ ପାଠ ଛାଡ଼ି ଏହି କାର୍ଯ୍ୟରେ ଲାଗିଥିଲେ ଏବଂ ଏବେସୁଦ୍ଧା ସେ କୋଏମ୍ବାଟୁର ସମେତ ସାରା ଭାରତରେ ୧୫ଟି ଜଳାଶୟର ପୁନରୁଦ୍ଧାର କରି ମୋଟ୍ରେ ୨୦୦ ଟନ୍ ପ୍ଲାଷ୍ଟିକ୍ ବର୍ଜ୍ୟ ସଂଗ୍ରହ କରିଛନ୍ତି। ଏଥିପାଇଁ ସେ ଆରମ୍ଭ କରିଛନ୍ତି ‘କୋଭାଇ କୁଲାଙ୍ଗାଲ ଆମାଇପୁ’ ନାମକ ଏକ ନାଗରିକ ଅଭିଯାନ। ଏଥିରେ ସେ ୩୩,୦୦୦ ସ୍ବେଚ୍ଛାସେବୀଙ୍କୁ ଯୋଡ଼ିସାରିଲେଣି। ମଣିକନ୍ଦନ କୋଏମ୍ବାଟୁର୍ରେ ୨୦କି.ମି. କେନାଲକୁ ପ୍ରଦୂଷଣମୁକ୍ତ କରିବା ସହ କେନାଲ ଓ ହ୍ରଦ କଡ଼ରେ ସେ ୫୦ହଜାର ଗଛ ଲଗାଇଛନ୍ତି। ହ୍ରଦ, କେନାଲ ଓ ଅନ୍ୟସବୁ ଜଳଉତ୍ସ କିଭଳି ପୁନର୍ବାର ପ୍ରଦୂଷିତ ନ ହେବ ସେଥିପାଇଁ ସମସ୍ତ ସ୍ବେଚ୍ଛାସେବୀ ଧ୍ୟାନ ଦେଉଛନ୍ତି।
Dharitri – The Largest & Most Trusted Odia Daily