ମହାରାଷ୍ଟ୍ର ବିଦର୍ଭ ଅଞ୍ଚଳ ଅତ୍ୟନ୍ତ ମରୁଡ଼ିପ୍ରବଣ। ଏହି ଅଞ୍ଚଳରେ କୃଷି କ୍ଷତିଗ୍ରସ୍ତ ହେଉଥିବାରୁ କୃଷକ ଆତ୍ମହତ୍ୟା ହାର ଅଧିକ। ତେବେ ନିଜ ଗାଁ ଓ ତା’ ଆଖପାଖର ୬ଟି ଗାଁରେ ଜଳାଭାବ ଦୂର କରି କୃଷିକୁ ସହଜ କରିପାରିଛନ୍ତି ଅମୋଲ ଲାଙ୍ଗୋଟେ। ଅମୋଲ ରୁହନ୍ତି ଥୁଗାଁ ପିମ୍ପ୍ରିରେ। ଏହି ଗାଁର ଲୋକସଂଖ୍ୟା ୩,୦୦୦ ପାଖାପାଖି। ଗାଁ କଡ଼ ଦେଇ ପୂର୍ଣ୍ଣ ନଦୀ ପ୍ରବାହିତ । ବର୍ଷାଦିନକୁ ଛାଡ଼ିଦେଲେ ବର୍ଷର ଅନ୍ୟ ସମୟରେ ନଦୀରେ ଜଳ ପ୍ରବାହ ନ ଥାଏ। ଜଳାଭାବ ଯୋଗୁ ୨୦୧୮-୧୯ରେ, ବିଦର୍ଭର ଅମରାବତୀ ଜିଲା ଗମ୍ଭୀର ମରୁଡ଼ିକୁ ସାମ୍ନା କରିଥିଲା। ଏଥିରେ ଅମୋଲଙ୍କ ଲେମ୍ବୁଚାଷ ସମେତ ଅନେକ କୃଷକଙ୍କ ଫସଲ କ୍ଷତିଗ୍ରସ୍ତ ହୋଇଥିଲା। ଏପରି କି ଲୋକଙ୍କୁ ପାନୀୟ ଜଳ ପାଇଁ ଟ୍ୟାଙ୍କର ଉପରେ ନିର୍ଭର କରିବାକୁ ପଡ଼ିଥିଲା। କାରଣ ଭୂତଳ ଜଳ ସ୍ତର ବହୁ ଗଭୀରକୁ ଚାଲିଯାଇଥିଲା। ତେବେ କଳାରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଅମୋଲ ତାଙ୍କ ଗାଁ ଲୋକଙ୍କୁ ଏକାଠି କରି ପୂର୍ଣ୍ଣ ନଦୀରେ ବାଲି ଓ ପଥରରେ ଏକ ଚେକ୍ଡ୍ୟାମ କରିଥିଲେ। ୨୦୧୯ରେ ତାଙ୍କ ନେତୃତ୍ୱରେ ପ୍ରାୟ ୩୦ଟି ଗାଁର ଲୋକେ ଏକାଠି ହୋଇ ଅଧିକ ଚେକ୍ଡ୍ୟାମ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ପରେ ଗ୍ରାମବାସୀ ପ୍ରତ୍ୟେକ ୫୦୦ରୁ ୨୦୦୦ ଟଙ୍କା ଦାନ ଦେଇ ୬ଟି ଚେକ୍ଡ୍ୟାମ ନିର୍ମାଣ କରିପାରିଛନ୍ତି। ଏବେ ଚାଷ ଭଲ ହେଉଛି, ପାନୀୟ ଜଳ ସଙ୍କଟ ଟଳିଛି।