ନାଗା ଯୋଦ୍ଧା ଛାକେସାଙ୍କ ଜନଜାତି ଲୋକେ ଶିକାର ଛାଡ଼ିଦେଇ ପରିବେଶ ଓ ପ୍ରାଣୀଙ୍କ ସୁରକ୍ଷା ପାଇଁ ଏବେ କାମ କରୁଛନ୍ତି। ସେମାନେ ଇଣ୍ଡୋ-ବର୍ମା ବାୟୋଡାଇଭର୍ସିଟି ହଟ୍ସ୍ପଟରେ ଥିବା ଜେସାମି ଗାଁରେ ରହୁଛନ୍ତି। ଏହି ଜନଜାତିର ଲୋକ ଶିକାର କୌଶଳ ପାଇଁ ଜଣାଶୁଣା। ଏପରି କି ଶିକାର କୌଶଳର ପ୍ରତୀକ ଭାବେ ସେମାନେ ଘର ପ୍ରବେଶପଥରେ ପ୍ରାଣୀଙ୍କ ଖପୁରି ସାଇତି ରଖିଥା’ନ୍ତି। ଗାଁର ମୁଖ୍ୟ ପର୍ବ ହେଉଛି ଟ୍ରେକୁ ନେଗେ। ଏହି ପର୍ବରେ ଉକ୍ତ ଜନଜାତିର ଲୋକମାନେ ମୁଣ୍ଡରେ ମିସେସ୍ ହ୍ୟୁମ ପିଜାଣ୍ଟ ପକ୍ଷୀ ଲାଞ୍ଜର ପର ପିନ୍ଧିଥା’ନ୍ତି। ଉଲ୍ଲେଖନୀୟ, ଏହି ପକ୍ଷୀର ନାମକରଣ ବ୍ରିଟେନ୍ ପରିବେଶବିତ୍ ଆଲାନ ଅକ୍ଟୋଭିଆନ ହ୍ୟୁମ୍ସଙ୍କ ସ୍ତ୍ରୀ ମ୍ୟାରି ଆନ୍ନ ଗ୍ରୀଣ୍ଡଲ ହ୍ୟୁମ୍ସଙ୍କ ନାମାନୁସାରେ କରାଯାଇଛି। ହ୍ୟୁମ ପିଜାଣ୍ଟ ପକ୍ଷୀ ବିଲୁପ୍ତ ହୋଇଯିବା ଖବର ଜାଣିବା ପରେ ଜେସାମି ଗ୍ରାମ ପରିଷଦର ଅଧ୍ୟକ୍ଷ ନିଜୋତେ ମେକ୍ରିଶୁ ସର୍ବସମ୍ମତିକ୍ରମେ ପଦକ୍ଷେପ ନେଇଥିଲେ। ୨୦୧୮ରେ ସବୁ ପ୍ରାଣୀଙ୍କ ଶିକାର ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏପରି କି ଟ୍ରେକୁ ନେଗି ପର୍ବରେ ମଧ୍ୟ ଶିକାର ବନ୍ଦ କରାଯାଇଛି। ଏବେ ଗ୍ରାମବାସୀ ଶିକାର ଛାଡ଼ି ପର୍ଯ୍ୟଟକ, ବନ୍ୟପ୍ରାଣୀ ଫଟୋଗ୍ରାଫର ଓ ବୈଜ୍ଞାନିକଙ୍କୁ ଜଙ୍ଗଲରେ ଗାଇଡ୍ କରୁଛନ୍ତି। ଛାକେସାଙ୍କ ଜନଜାତିଙ୍କ ଏଭଳି ପରିବର୍ତ୍ତନକାରୀ ପଦକ୍ଷେପ ଭାରତର ଅନ୍ୟସବୁ ଜଙ୍ଗଲରେ ରହୁଥିବା ଜନଜାତିକଙ୍କ ପାଇଁ ଅତ୍ୟନ୍ତ ପ୍ରେରଣାଦାୟକ।