ଭାରତୀୟ ବନ ସେବା ଅଧିକାରୀ (ଆଇଏଫ୍ଏସ୍) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଅଭିନବ ଉପାୟରେ ଜଳାଶୟ ନିର୍ମାଣ କରୁଛନ୍ତି। ଏହା ‘ଅନନ୍ତ ନେରୁ ସଂରକ୍ଷଣ ପ୍ରୋଜେକ୍ଟ’ ମାଧ୍ୟମରେ କରାଯାଉଛି। ଏହି ଦମ୍ପତି ବନ ବିଭାଗ ଓ ୪୦୦ରୁ ଊର୍ଦ୍ଧ୍ୱ ଗ୍ରମବାସୀଙ୍କ ସହଯୋଗରେ ଏବେ ସୁଦ୍ଧା ୧୧ଟି ଜଳାଶୟ କରିସାରିଲେଣି। ସେମାନେ ପୋତି ହୋଇପଡ଼ିଥିବା ଜଳାଶୟର ପୁନରୁଦ୍ଧାର କରିବା ସହ ନୂଆ ପୋଖରୀ ଖୋଳୁଛନ୍ତି। ଏହା ଯୋଗୁ ଅନନ୍ତପୁର ଜିଲାର କଲ୍ୟାଣଦୁର୍ଗମ ଓ ରାୟଦୁର୍ଗମ ଅଞ୍ଚଳର ଗାଁଗୁଡ଼ିକରେ ଲାଗି ରହୁଥିବା ଜଳାଭାବ ଅନେକାଂଶରେ ଦୂର ହୋଇପାରିଛି। ତେବେ ଜଳାଶୟ ଯୋଗୁ ଚାଷ କରିବା ସହଜ ହୋଇପାରିଛି। ଜଳର ଅଭାବ ନ ରହିବାରୁ ଫସଲ ଭଲ ହେଉଛି ଓ ପାଣି ସୁବିଧା ଯୋଗୁ ଆହୁରି ଅନେକ ଲୋକ ଚାଷ କରିବାକୁ ଉତ୍ସାହିତ ହୋଇଛନ୍ତି। ଏହା ବ୍ୟତୀତ ଜଳାଶୟ ଚାରିପାଖରେ ପାଖାପାଖି ୭,୦୦୦ ଗଛ ଲଗାଯାଇଛି। କହିବାକୁ ଗଲେ ଜଳାଶୟ ଏବେ ଜୀବନରେଖା ପାଲଟିଯାଇଛି। ବଡ଼ କଥା ହେଉଛି ଜଳାଶୟ ଥିବା ଅଞ୍ଚଳରେ ଭୂତଳ ଜଳସ୍ତର ବୃଦ୍ଧି ପାଇବା ଯୋଗୁ କମ୍ ଖର୍ଚ୍ଚରେ ବୋର୍ଓ୍ବେଲ ହୋଇପାରୁଛି।