ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ ସ୍ଥଳେ ଆଇସିୟୁ ଥିବା ସହରର ବଡ଼ ହସ୍ପିଟାଲକୁ ଆସି ରୋଗୀମାନେ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ଏଭଳି ସମସ୍ୟା ଦୂର କରିବା ପାଇଁ ପଦକ୍ଷେପ ନେଇଛନ୍ତି ଡା. ଦିଲୀପ ରମଣ ଏବଂ ଡା. ଧ୍ରୁବ ଯୋଶୀ । ସେମାନେ ଭାରତର ଗ୍ରାମୀଣ ହସ୍ପିଟାଲଗୁଡ଼ିକୁ ଆଇସିୟୁ ସେବା ଯୋଗାଇ ଦେଉଛନ୍ତି। ଆମେରିକାର କ୍ଲିଭେଲାଣ୍ଡ କ୍ଲିନିକ୍ର କ୍ରିଟିକାଲ କେୟାରରେ କାର୍ଯ୍ୟ କରୁଥିଲେ ଡା. ଯୋଶୀ ଓ ଡା. ରମଣ। ପରେ ସେମାନେ ଭାରତ ଫେରି ‘ଟେଲି ଆଇସିୟୁ ପ୍ଲାଟଫର୍ମ’ ଗଠନ କରି ତା’ ମାଧ୍ୟମରେ ଏବେ ସୁଦ୍ଧା ୧୭ଟି ରାଜ୍ୟରେ କମ୍ ସମ୍ୱଳ ଥିବା ଗ୍ରାମୀଣ ଡାକ୍ତରଖାନାଗୁଡ଼ିକରେ ୪୦,୦୦୦ ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦେଇସାରିଲେଣି। ପ୍ଲାଟଫର୍ମର କମାଣ୍ଡ ସେଣ୍ଟର, ଯାହାକୁ କୁହାଯାଉଛି ରାଡାର, ତା’ ସହ ଅଂଶୀଦାର ହସ୍ପିଟାଲଗୁଡ଼ିକର ଆଇସିୟୁ ସହ ସଂଯୋଗ କରାଯାଇ ଏକ ପ୍ରଶିକ୍ଷଣପ୍ରାପ୍ତ ଡାକ୍ତରୀ ଟିମ୍ ଦ୍ୱାରା ସଞ୍ଚାଳନ କରାଯାଉଛି।