ବରିଷ୍ଠ ନାଗରିକ ବର୍ଗରେ ବର୍ଗୀଭୁକ୍ତ ହେଉଥିବା ବ୍ୟକ୍ତି ଭାବନ୍ତି ଯେ, ସେମାନଙ୍କ ଜୀବନର ଏକ ଇନିଂସ୍ ସରିଗଲା। ସେମାନେ ମନେକରନ୍ତି ଯେ, ଆଉ ପୂର୍ବଭଳି ଉପଭୋଗ କରିବା କିମ୍ବା କାର୍ଯ୍ୟଦକ୍ଷତା ପ୍ରତିପାଦନ କରିବାର କ୍ଷମତା କମିଗଲା। ହେଲେ ସିନିୟର ଓ୍ବାଲର୍ଡ ଷ୍ଟାର୍ଟଅପ୍ ଏବେ ଏଭଳି ବରିଷ୍ଠ ନାଗରିକଙ୍କ ପାଇଁ ଏକ ଦ୍ୱିତୀୟ ଇନିଂସ୍ ଆରମ୍ଭ କରିବାର ସୁଯୋଗ ସୃଷ୍ଟି କରିପାରିଛି। ସେମାନଙ୍କୁ ଭ୍ରମଣ କରାଇବା ସହ ସ୍ବାଧୀନ ଭାବେ ଜିଇବାର ବି ବାଟ ଦେଖାଉଛି। ଏବେସୁଦ୍ଧା ଏହି ଷ୍ଟାର୍ଟଅପ୍ ୫୦୦୦ରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କୁ ଏହା ସହ ସାମିଲ କରିସାରିଲାଣି, ଯାହାଙ୍କ ବୟସ ୫୫ରୁ ୯୫ ବର୍ଷ ମଧ୍ୟରେ ରହିଛି। ଷ୍ଟାର୍ଟଅପ୍କୁ ଏମ୍.ପି. ଦିପୁ ଓ ରାହୁଲ ଗୁପ୍ତା ପରିଚାଳନା କରୁଛନ୍ତି। ବରିଷ୍ଠ ନାଗରିକଙ୍କ ବୟସକୁ ଦେଖି ସେମାନଙ୍କ ଲାଗି ସ୍କୁବା ଡାଇଭିଂ, ଓ୍ବାଟର ସ୍ପୋଟର୍ସ, ଅନ୍ତର୍ଜାତୀୟ ଭ୍ରମଣର ବ୍ୟବସ୍ଥା କରାଯାଇଛି। ଏହାସହ ମ୍ୟୁଜିକ୍, ଆର୍ଟ, ଡ୍ୟାନ୍ସ ମଧ୍ୟ ଶିଖୁଛନ୍ତି। ଏହି ଟିମ୍ ଅଦ୍ୟାବଧି ୨୦ଟି ଦେଶ ଭ୍ରମଣ କରିସାରିଲାଣି।