ଏଇ ଭାରତରେ

ବାୟୁ ପ୍ରଦୂଷଣ ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରୁଥିବାବେଳେ ଏଥିରୁ ରକ୍ଷା ପାଇବା ଲାଗି ଘରେ ଏୟାର ପ୍ୟୁରିଫାୟର ଆବଶ୍ୟକ ପଡ଼ିଲାଣି। ବଜାରରେ ମଧ୍ୟ ଏୟାର ପ୍ୟୁରିଫାୟର ଉପଲବ୍ଧ ହେଉଛି, କିନ୍ତୁ ଏହାର ମୂଲ୍ୟ ଅଧିକ। ତେବେ ବେଙ୍ଗାଲୁରୁର ଆୟୁଷ ଝା କମ୍‌ ଖର୍ଚ୍ଚରେ ଏୟାର କଣ୍ଡିଶନରକୁ ସ୍ମାର୍ଟ ଏୟାର ପ୍ୟୁରିଫାୟରରେ ପରିଣତ କରିପାରୁଛନ୍ତି। ଏହା ବଜାରରେ ମିଳଥିବା ଏୟାର ପ୍ୟୁରିଫାୟରଠାରୁ ଶସ୍ତା ଅର୍ଥାତ୍‌ ତା’ ମୂଲ୍ୟର ଏକ ଶତାଂଶରେ ହୋଇପାରୁଛି। ୨୦୧୭ରେ ଆୟୁଷଙ୍କ ପିତା ଦିଲ୍ଲୀକୁ ବଦଳି ହୋଇ ଆସିବା ପରେ ବାୟୁ ପ୍ରଦୂଷଣ ଜନିତ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏହାକୁ ଲକ୍ଷ୍ୟ କରି ଘରେ ଶସ୍ତାରେ କିିଭଳି ଏୟାର ପ୍ୟୁରିଫାୟର ବ୍ୟବହାର କରାଯାଇପାରିବ ସେଥିପାଇଁ ସେ ଗବେଷଣା ଆରମ୍ଭ କରିଦେଇଥିଲେ। ଆୟୁଷ ପୂର୍ବରୁ ଏକ ଷ୍ଟାର୍ଟଅପରେ କାମ କରିଥିବାରୁ ଏହା ତାଙ୍କ ପାଇଁ ସହଜ ଥିଲା। ୨୦୧୮ରେ ସ୍ବଚ୍ଛ ଏୟାର କମ୍ପାନୀ ‘କ୍ଲାଇର୍‌କୋ’ ଆରମ୍ଭ କରି ଏକ ବହୁ ରାଷ୍ଟ୍ରୀୟକମ୍ପାନୀ ସହଯୋଗରେ କାମ ଆରମ୍ଭ କରି ସଫଳ ହୋଇଥିଲେ। ଏବେ ସେ ଦିଲ୍ଲୀ- ଏନସିଆର, ବେଙ୍ଗାଲୁରୁ ହାଇଦ୍ରାବାଦ ସହରରେ ଏସିକୁ ସ୍ମାର୍ଟ ଏୟାର ପ୍ୟୁରିଫାୟର କରିବା ଯୋଗୁ ପ୍ରତିଦିନ ପାଖାପାଖି ୧୫ ଲକ୍ଷ ଲୋକ ବିଶୁଦ୍ଧ ବାୟୁ ଗ୍ରହଣ କରୁଛନ୍ତି। ଆୟୁଷ ଏହି ଟେକ୍‌ନୋଲୋଜିକୁ ମଧ୍ୟପ୍ରାଚ୍ୟ ଓ ଦକ୍ଷିଣପୂର୍ବ ଏସିଆର ଅନ୍ୟ ଦେଶରେ ପହଞ୍ଚାଇବା ଲାଗି ଯୋଜନା କରିଛନ୍ତି।

 

Dharitri – The Largest & Most Trusted Odia Daily