ଏଇ ଭାରତରେ

ଇଚ୍ଛାଶକ୍ତି ଆଗରେ ବୟସ ହାର୍‌ ମାନେ- ଏହା ପ୍ରମାଣ କରିଛନ୍ତି କେରଳର ମହିଳା ଚାଳକ ମଣି ଅମ୍ମା। ତାଙ୍କ ବୟସ ୭୪ ଛୁଇଁଲାଣି, ହେଲେ ସେ ନିର୍ଭୀକ ଭାବେ ଭାରିଯାନ ଚଳାଉଛନ୍ତି। ଟ୍ରକ୍‌, ବସ୍‌, କ୍ରେନ୍‌ଠାରୁ ଆରମ୍ଭକରି ବିଭିନ୍ନ ଭାରିଯାନ ଚଳାଇ ସେ ତାଙ୍କ ସାହସ ଓ ଧୈର୍ଯ୍ୟର ପରିଚୟ ଦେଇଛନ୍ତି। କେବଳ ଏତିକି ନୁହେଁ, ସେ ଏକ ଡ୍ରାଇଭିଂ ସ୍କୁଲ୍‌ କରି ସେଠାରେ ବିଶେଷକରି ମହିଳାମାନଙ୍କୁ ଡ୍ରାଇଭିଂ ପ୍ରଶିକ୍ଷଣ ଦେଉଛନ୍ତି। ମଣି ଅମ୍ମାଙ୍କର ଜନ୍ମ ଏକ ମଧ୍ୟବିତ୍ତ ପରିବାରରେ। ସେ ଦଶମ ପଢୁଥିବା ବେଳେ ବିବାହ କରିଥିଲେ। ପରେ ପରିବାରର ଦାୟିତ୍ୱ ବହନ କରିବା ପାଇଁ ସ୍ବାମୀଙ୍କ ପ୍ରେରଣାରେ ଗାଡ଼ି ଚଳାଇବା ଆରମ୍ଭ କରିଥିଲେ। ସମୟକ୍ରମେ ସେ ୧୧ଟି ଭାରିଯାନ ଲାଇସେନ୍ସ ମଧ୍ୟ ହାସଲ କରିଥିଲେ, ଯାହା ଏକ ବିରଳ ସଫଳତା। ଏଥିପାଇଁ ୨୦୨୨ରେ ସେ ଇଣ୍ଡିଆନ୍‌ ବୁକ୍ସ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇପାରିଛନ୍ତି।