ପ୍ରଦୂଷିତ ପରିବେଶ, ଖାଦ୍ୟ ଓ ବାସସ୍ଥାନ ଅଭାବରୁ ବନ୍ୟଜନ୍ତୁଙ୍କ ସଂଖ୍ୟା କମିବାରେ ଲାଗିଛି। ଏହା ସହ ବେଆଇନ ଶିକାର ଯୋଗୁ ବହୁ ପ୍ରାଣୀଙ୍କ ଜୀବନ ଯାଉଛି। ଅନେକେ ମଧ୍ୟ କୌଣସି କାରଣରୁ ଆହତ ହୋଇ ମୃତ୍ୟୁମୁଖରେ ପଡ଼ୁଛନ୍ତି। ତେବେ ଶିକାରୀଙ୍କୁ ରୋକିବା ବନ ବିଭାଗର ଦାୟିତ୍ୱ ହୋଇଥିବାବେଳେ ବେସରକାରୀ ସ୍ତରରେ ପ୍ରାଣୀଙ୍କ ଜୀବନ ବଞ୍ଚାଇବା ମଧ୍ୟ ଏକ ବଡ଼ ଦାୟିତ୍ୱ ବୋଲି ଗ୍ରହଣ କରିବାକୁ ହେବ। ଏଭଳି ଦାୟିତ୍ୱ ନିର୍ବାହ କରୁଛନ୍ତି ମହାରାଷ୍ଟ୍ର ଓ୍ବାର୍ଦ୍ଧାର ଏକ ଟିମ୍। ସେମାନେ ଆହତ ବନ୍ୟଜୀବଙ୍କୁ ଉଦ୍ଧାର କରି ସେମାନଙ୍କ ଜୀବନ ବଞ୍ଚାଉଛନ୍ତି। ଓ୍ବାର୍ଦ୍ଧାରେ ଥିବା ପିଏଫ୍ଏ ଓ୍ବାଇଲ୍ଡ ଲାଇଫ ରେସ୍କ୍ୟୁ ଆଣ୍ଡ୍ ରିହାବିଲିଟେଶନ ସେଣ୍ଟରରେ ସେମାନେ ଆହତ ପ୍ରାଣୀଙ୍କ ଚିକିତ୍ସା କରୁଛନ୍ତି। ସେମାନେ ଉଦ୍ଧାର କରୁଥିବା ପ୍ରାଣୀଙ୍କ ମଧ୍ୟରେ ରହିଛନ୍ତି ବାଘ, ବିଲୁପ୍ତି ପଥରେ ଥିବା ବିଭିନ୍ନ ପକ୍ଷୀ, ବଜ୍ରକାପ୍ତା, ସ୍ଲଥ ବିୟର, ହରିଣ, କୁଟୁରା, ମାଙ୍କଡ଼ ଇତ୍ୟାଦି। ଏହି କାର୍ଯ୍ୟରେ ମହାରାଷ୍ଟ୍ର ଜଙ୍ଗଲ ବିଭାଗ ସହଯୋଗ କରୁଛି। ମୋଟରେ ୯ଟି ଟିମ୍ ରହିଛି। ପ୍ରତ୍ୟେକରେ ୫ ଜଣ ଜଙ୍ଗଲ ଅଧିକାରୀ ମଧ୍ୟ ରହିଛନ୍ତି। ୨୫ ଏକର ଜମ ପରିମିତ ଏହି ସେଣ୍ଟର ଆଶିଷ ଗୋସ୍ବାମୀଙ୍କ ତତ୍ତ୍ୱାବଧାନରେ ଚାଲୁଛି। ଏଯାବତ ଏହି ଟିମ୍ ୪୦,୦୦୦ ବନ୍ୟପ୍ରାଣୀଙ୍କୁ ଉଦ୍ଧାର କରି ଚିକିତ୍ସା ଯୋଗାଇ ଦେଇସାରିଲେଣି। ଗତବର୍ଷ କେବଳ ୫,୬୦୦ ପ୍ରାଣୀଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଛି।