ଅପରାହ୍ନ ୩ଟା ବେଳକୁ ଦିଲ୍ଲୀ ଲାଲକିଲ୍ଲା ନିକଟସ୍ଥ ସାଇ ମନ୍ଦିର ପାଖକୁ ପିଲାମାନେ ବ୍ୟାଗ୍ ଧରି ଯାଉଥିବାର ଦେଖିବେ। ଏହା କୌଣସି ସ୍କୁଲ ଛୁଟି ସମୟର ଦୃଶ୍ୟ ନୁହେଁ, ବରଂ ବସ୍ତିର ପିଲାମାନେ ପଢ଼ିବାକୁ ଆସୁଥିବାର ସମୟ। ପିଲାମାନେ ପ୍ରତିଦିନ ୩ଟାରୁ ୫ା୩୦ ଯାଏ ସାଇ ମନ୍ଦିର ସମ୍ମୁଖ ପାର୍କିଂ ସ୍ଥାନରେ ପଢୁଛନ୍ତି। ଏହି ସ୍କୁଲର ନାମ ‘ଥାନ୍ ସିଂ କା ପାଠଶାଳା’। ଦିଲ୍ଲୀର ବିଭିନ୍ନ ବସ୍ତିରୁ ପିଲାମାନେ ଏହି ପାଠଶାଳାକୁ ପଢ଼ିବା ପାଇଁ ଆସୁଛନ୍ତି। ଯେଉଁ ପିଲାମାନେ ସ୍କୁଲ ଶିକ୍ଷାଠାରୁ ଦୂରେଇ ରହି ବିଭିନ୍ନ କାମରେ ନିୟୋଜିତ ହେଉଥିଲେ ସେମାନଙ୍କୁ ଉଦ୍ଧରକରି ଥାନ୍ ସିଂ ପାଠଶାଳାକୁ ଆଣୁଛନ୍ତି। ଥାନ୍ ସିଂ ଏବେ ଦିଲ୍ଲୀ ପୋଲିସର ହେଡ୍ କନ୍ଷ୍ଟେବଲ୍ ଭାବେ କାର୍ଯ୍ୟରତ। ପାଠଶାଳରେ ୩ରୁ ୧୫ ବର୍ଷ ବୟସର ପିଲାମାନେ ପଢୁଛନ୍ତି। ଥାନ୍ ସିଂ ଓ ଏକ ସ୍ବେଚ୍ଛାସେବୀ ଗୋଷ୍ଠୀ ଏଠାରେ ପଢ଼ାଉଛନ୍ତି। ଅନେକ ଇ-ଅଟୋରିକ୍ସା ଚାଳକ ସ୍ବେଚ୍ଛାକୃତ ଭାବେ ବିଭିନ୍ନ ବସ୍ତିରୁ ପିଲାମାନଙ୍କୁ ଏହି ପାଠଶାଳାକୁ ଆଣୁଛନ୍ତି। ଅନୁଦାନ ଅର୍ଥରେ ଏହା ଚାଲୁଛି ଏବଂ ପିଲାମାନଙ୍କ ପଢ଼ିବା ଲାଗି କୌଣସି ଦେୟ ଦେବାକୁ ପଡ଼ୁନାହିଁ। ପ୍ରଥମେ ପାଠଶାଳାକୁ ୫ ଜଣ ପିଲା ପଢ଼ିବାକୁ ଆସୁଥିଲେ। ଏବେ ଏହି ସଂଖ୍ୟା ବୃଦ୍ଧି ପାଇ ୧୦୦ରେ ପହଞ୍ଚିଲାଣି।
Dharitri – The Largest & Most Trusted Odia Daily