ଏଇ ଭାରତରେ

ସମାଜର ସବୁ କ୍ଷେତ୍ରରେ ନିଜର ଅଧିକାର ସାବ୍ୟସ୍ତ କରିଥିବା ତଥା ନିଜକୁ ସଶକ୍ତ ବୋଲି ଦର୍ଶାଇଥିବା ମହିଳା ଗଭୀର ସମୁଦ୍ରରେ ମାଛ ଧରିବାରେ ପଛଘୁଞ୍ଚା ଦେବ କାହିଁକି? ସେ କ୍ଷେତ୍ରଟି ବି ତା’ ହାତମୁଠାରେ, ଯାହା ପ୍ରମାଣ କରିଛନ୍ତି କେରଳର ରେଖା କାର୍ତ୍ତିକେୟନ। ଏବେ ସେ ସାମାଜିକ କଟକଣାକୁ ଭାଙ୍ଗି ଜଣେ ଦକ୍ଷ ଫିଶର ଓମ୍ୟାନ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ସମୁଦ୍ର ମଧ୍ୟ ତାଙ୍କ ଅଧୀନରେ ବୋଲି ପ୍ରତିପାଦିତ କରିଛନ୍ତି। ରେଖା ହେଉଛନ୍ତି ଗଭୀର ସମୁଦ୍ରରେ ମାଛଧରା ଲାଇସେନ୍ସ ପାଇବାରେ ଭାରତରେ ପ୍ରଥମ ମହିଳା। ପୁରୁଷଙ୍କ ଭଳି ମାଛଧରିବାରେ ସମସ୍ତ କୌଶଳ ସେ ହାସଲ କରିପାରିଛନ୍ତି। ଏପରି କି ବିନା କମ୍ପାସ ଓ ଜିପିଏସ୍‌ରେ ରେଖା ମାଛଧରିବାକୁ ଗଭୀର ସମୁଦ୍ରକୁ ଚାଲିଯାଇଥାନ୍ତି। ଆରମ୍ଭରୁ ଏହି କାର୍ଯ୍ୟ କରିବାକୁ ତାଙ୍କ ସ୍ବାମୀ କାର୍ତ୍ତିକେୟନ ରେଖାଙ୍କୁ ଉତ୍ସାହିତ କରିଥିଲେ। କେବଳ ଏତିକି ନୁହେଁ, ରେଖା ମାଛମାରିବା ପରେ ତାଙ୍କ ପରିବାରର ଆର୍ଥିକ ସ୍ଥିତି ବଦଳିଯାଇଛି। ତାଙ୍କର ଏହି ସାହସିକ ପଦକ୍ଷେପ ଏବେ ଅନେକ ମହିଳାଙ୍କୁ ସ୍ବାବଲମ୍ବୀ ହେବା ପାଇଁ ରାସ୍ତା ଦେଖାଇଛି। ସେଣ୍ଟ୍ରାଲ ମେରାଇନ ଫିଶରିଜ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ ରେଖାଙ୍କୁ ସବୁ ପ୍ରକାର ସହଯୋଗ କରିବା ସହ ତାଙ୍କ ଜୀବନ ଜୀବିକା ଯାତ୍ରାକୁ ନେଇ ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିଛି।