ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଜିଲାର ଅନେକ ଅଞ୍ଚଳରେ ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡ଼ିକରୁ ନିର୍ଗତ ବିଷାକ୍ତ ପାଉଁଶ ଯୋଗୁ ସେଠାକାର ଉର୍ବର ମାଟି ଫସଲ ପାଇଁ ଅଯୋଗ୍ୟ ହୋଇଯାଇଥିଲା। ଏପରି କି ସେହି ଅଞ୍ଚଳରେ ଫସଲ ଉପରେ ପାଉଁଶ ଜମି ରହୁଥିଲା। ଫଳରେ କୃଷକମାନେ କ୍ଷତି ସହୁଥିଲେ। କିନ୍ତୁ ବୈଜ୍ଞାନିକ ଡ. ଲାଲ ସିଂଙ୍କ ଉଦ୍ୟମରେ ଅନୁର୍ବର ମାଟି ଏବେ ପୁନର୍ବାର ଉତ୍ପାଦନକ୍ଷମ ହୋଇପାରିଛି। ଡ. ସିଂ କାଉନ୍‌ସିଲ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ(ସିଏସ୍‌ଆଇଆର୍‌)-ନ୍ୟାଶନାଲ ଏନ୍‌ଭାଇରନ୍‌ମେଣ୍ଟ ଇଞ୍ଜିନିୟରିଂ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ(ଏନ୍‌ଇଇଆର୍‌)ରେ ପ୍ରମୁଖ ବୈଜ୍ଞାନିକ ଓ ପ୍ରୋଜେକ୍ଟ ଲିଡର ରହିଛନ୍ତି। ସେ ବାଉଁଶ ଗଛ ଲଗାଇ ବିଦର୍ଭର ମାଟିକୁ ଉର୍ବର କରିବାରେ ସକ୍ଷମ ହୋଇଛନ୍ତି। ତାଙ୍କ ନେତୃତ୍ୱରେ ବୈଜ୍ଞାନିକମାନେ ଇକୋ-ରେଜୁଭେନେଶନ ଟେକ୍‌ନୋଲୋଜି(ଇଆର୍‌ଟି) ନାମକ ଏକ ସ୍ବତନ୍ତ୍ର ପଦ୍ଧତି ବିକାଶ କରିଛନ୍ତି। ଏହି ପଦ୍ଧତିରେ ପ୍ରଦୂଷିତ ତଥା ଉର୍ବରତା ହରାଇଥିବା ମାଟିକୁ ତା’ ପୂର୍ବାବସ୍ଥାକୁ ଫେରାଇ ଅଣାଯାଇପାରୁଛି। ବାଉଁଶଗଛ ଏବେ ତାପଜ ବିଦ୍ୟୁତ କେନ୍ଦ୍ରରୁ ନିର୍ଗତ ପାଉଁଶକୁ ଧରି ରଖୁଛି। ଫଳରେ ପରିବେଶ ସ୍ବଚ୍ଛ ରହିବା ସହ ମାଟି ମଧ୍ୟ ପାଉଁଶର କୁପ୍ରଭାବରୁ ମୁକ୍ତ ହୋଇପାରିଛି। ବାଉଁଶ ଗଛ ଲଗାଇବାରେ ମୁଖ୍ୟତଃ ମହିଳାମାନଙ୍କୁ ନିଯୁକ୍ତ କରାଯାଇଛି।