ଏଇ ଭାରତରେ

ଶ୍ୱେତା ମେନନ କମ୍ପ୍ୟୁଟର ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରି ଟିସିଏସ୍‌ରେ ଚାକିରି କରିଥିଲେ। ହେଲେ ତାହାକୁ ଛାଡ଼ି ସେ ଓ୍ବର୍ଲି ଓ ପିଚାଓ୍ବି ଭଳି ପାରମ୍ପରିକ ଜନଜାତି ହସ୍ତକଳାକୁ ବଞ୍ଚାଇ ରଖିବା ଲାଗି ଅଭିଯାନ ଜାରି ରଖିଛନ୍ତି। ସେ ୧୬ଟି ରାଜ୍ୟରେ ୫୦୦ରୁ ଊର୍ଦ୍ଧ୍ୱ ମହିଳା ହସ୍ତକଳା କରିଗରଙ୍କୁ ଏହି କାମରେ ନିଯୁକ୍ତ କରିପାରିଛନ୍ତି। ଶ୍ୱେତା ୨୦୧୫ରେ ‘ଟ୍ରୁଲି ଟ୍ରାଇବାଲ’ ସଂସ୍ଥା ଗଠନ କରି ତା’ମାଧ୍ୟମରେ ଏହି କାର୍ଯ୍ୟ ସଞ୍ଚାଳନ କରୁଛନ୍ତି। ମଧ୍ୟପ୍ରଦେଶ ଛିନ୍ଦଓ୍ବାଡାରେ ଶ୍ୱେତାଙ୍କ ଜନ୍ମ । ଏହି ଆଦିବାସୀ ବହୁଳ ଅଞ୍ଚଳରେ ସେ ରହି ସେମାନଙ୍କ ପାରମ୍ପରିକ ହସ୍ତକଳା ଲୋପ ହୋଇଯାଉଥିବା ଅନୁଭବ କରିଥିଲେ। ଫଳରେ ତାହାକୁ ବଞ୍ଚାଇ ରଖିବା ସକାଶେ ଚାକିରି ଛାଡ଼ି ଦେଇଥିଲେ। ଆଦିବାସୀ ହସ୍ତକଳାର ସଂରକ୍ଷଣ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ତାଙ୍କ ସଂଘର୍ଷ ଅତ୍ୟନ୍ତ କଠିନ ଥିଲା। କିନ୍ତୁ କିଛି ବର୍ଷ ପରେ ସେ ସଫଳତା ପାଇଥିଲେ। ତାଙ୍କ ଉଦ୍ୟମ ଯୋଗୁ ଏବେ ଆଦିବାସୀ କରିଗରମାନେ ଅଧିକ ରୋଜଗାର କରୁଛନ୍ତି। ସେମାନେ ଓ୍ବର୍ଲି ଓ ପିଚାଓ୍ବି ପେଣ୍ଟିଂର ଜିନିଷ ସହିତ ଟ୍ରାଇବାଲ ଜୁଏଲେରି, ବାଉଁଶ ଜିନିଷ ଓ ଟେରାକୋଟା ଆଦି ପ୍ରସ୍ତୁତ କରୁଛନ୍ତି।