ଝାଡ଼ଖଣ୍ଡର ବରକୁଲି ଗାଁର ମହିଳା ଜ୍ଞାନଲତା ହେମ୍ରମ୍ ଜୈବିକ ପଦ୍ଧତିରେ ଚାଷ କରିବା ସହ ୧୦ ଲକ୍ଷ ଟଙ୍କାର ବିଜ୍ନେସ ଚଳାଇବାକୁ ସକ୍ଷମ ହୋଇଛନ୍ତି। ୨୦୨୧ରେ ସେ ପ୍ରଫେଶନାଲ ଆସିଟୋନ୍ସ ଫର୍ ଡେଭଲପ୍ମେଣ୍ଟ ଆକ୍ସନ( ପ୍ରଦାନ) ନାମକ ସଂସ୍ଥା ସହଯୋଗରେ ଜୈବିକ ଚାଷ ଆରମ୍ଭ କରିଥିଲେ। ପ୍ରଦାନ ବିଶେଷକରି ମହିଳାଙ୍କ ଜୀବନଜୀବିକାରେ ଉନ୍ନତି ଆଣିବା ପାଇଁ କାମ କରୁଛି। ଏହା ସହଯୋଗ ପାଇବା ପରେ ଜ୍ଞାନଲତା ୬ ଏକର ଜମିରେ ଟମାଟୋ, ବାଇଗଣ, ଲଙ୍କା, କୋବି, କ୍ୟାପ୍ସିକମ୍ ଆଦି ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି। ପ୍ରଦାନ ଦ୍ୱାରା ପ୍ରତିଷ୍ଠା କରାଯାଉଥିବା ବାୟୋ ରିସୋର୍ସ ସେଣ୍ଟର(ବିଆର୍ସି) ସ୍ଥାନୀୟ ମହିଳା ଚାଷୀଙ୍କୁ ସହଯୋଗ କରୁଛି। ତେବେ ଜ୍ଞାନଲତା ନିଜ ଅଞ୍ଚଳରେ ଏହାର ଦାୟିତ୍ୱ ନେବା ପରେ ତାଙ୍କ ଗାଁ ଓ ଆଖପାଖ ଅଞ୍ଚଳର ସ୍ବୟଂ ସହାୟିକା ଗୋଷ୍ଠୀର ପ୍ରାୟ ୧୨୦୦ ମହିଳାଙ୍କୁ ଏହା ସହ ଯୋଡ଼ି ଜୈବିକ ଚାଷ ପାଇଁ ପ୍ରେରିତ କରୁଛନ୍ତି। ଏହା ମାଧ୍ୟମରେ ମହିଳାଙ୍କ କୃଷି ଉତ୍ପାଦ ବିନା ମଧ୍ୟସ୍ଥରେ ବିକ୍ରି କରାଯିବା ସହ ଜିଆଖତ ପ୍ରସ୍ତୁତ କରାଯାଉଛି। ପ୍ରଥମ ବର୍ଷ ଜ୍ଞାନଲତା ବିଆର୍ସି ମାଧ୍ୟମରେ ୬୦,୦୦୦ ଟଙ୍କାର ବିଜ୍ନେସ କରିଥିବାବେଳେ ଏବେ ଏହା ୧୦ ଲକ୍ଷ ଟଙ୍କାରେ ପହଞ୍ଚିଗଲାଣି। ଜ୍ଞାନଲତା ଚାଷୀଙ୍କୁ ବିଭିନ୍ନ ପନିପରିବାର ଚାରାଗଛ ଯୋଗାଇ ଦେଉଛନ୍ତି। ଏହା ବ୍ୟତୀତ ଚାଷୀମାନେ କିଭଳି କମ୍ ଖର୍ଚ୍ଚରେ ଚାରାଗଛ ଉତାରିପାରିବେ, ସେଥିରେ ମଧ୍ୟ ସେମାନଙ୍କୁ ସହଯୋଗ କରୁଛନ୍ତି।