ରୋଗ ହେଲେ ସମସ୍ତେ ଡାକ୍ତର ପାଖକୁ ଯାଆନ୍ତି। କିନ୍ତୁ ଏଥିପାଇଁ କେହି କ’ଣ ମନ୍ଦିର ଲୁଟିବାକୁ ଯିବା କଥା ଶୁଣିଛନ୍ତି! ଏଭଳି ଘଟଣା ଦେଖିବାକୁ ମିଳିଛି ଛତିଶଗଡ଼ର ଦୁର୍ଗ ଅଞ୍ଚଳରେ। ଏଠାରେ ୪୫ ବର୍ଷୀୟ ଜଣେ ବ୍ୟକ୍ତି ଏବେ ପୋଲିସ ହାତରେ ଧରାପଡିଛନ୍ତି, ଯିଏ କି ଗତ ୧୦ ବର୍ଷ ହେଲାଣି ବିଭିନ୍ନ ମନ୍ଦିରରୁ ଚୋରି କରୁଥିଲେ। ତାଙ୍କର ଏପରି କରିବା ପଛର ଉଦ୍ଦେଶ୍ୟ ଥିଲା ଭଗବାନ୍ଙ୍କ ଉପରେ ପ୍ରତିଶୋଧ ନେବା। ପ୍ରକୃତ କଥା ହେଉଛି ଏହି ବ୍ୟକ୍ତି ଜଣକ ୨୦୧୨ରେ ଏକ ମାରପିଟ ଘଟଣାରେ ଜେଲ ଯାଇଥିଲେ। ଜେଲରୁ ବାହାରିବା ପରେ ସେ ଏଚ୍ଆଇଭି ପଜିଟିଭ୍ ବୋଲି ଜଣାପଡିଥିଲା। ଏହା ପରେ ସେ ଭାଙ୍ଗି ପଡିଥିଲେ। ଭଗବାନ୍ଙ୍କ ଉପରୁ ତାଙ୍କର ଭରସା ତୁଟି ଯାଇଥିଲା। ତାଙ୍କୁ ମନେହୋଇଥିଲା କି ଭଗବାନ୍ ହିଁ ତାଙ୍କୁ ଏଭଳି ଏକ ଭୟଙ୍କର ରୋଗ ଦେଇଛନ୍ତି। ତେଣୁ ସେ ଭଗବାନ୍ଙ୍କ ଉପରେ ପ୍ରତିଶୋଧ ନେବାକୁ ଯାଇ କୌଣସି ସ୍ଥାନରେ ମନ୍ଦିର ଦେଖିଲେ ସେଠାରୁ ବିଭିନ୍ନ ଜିନିଷ ଚୋରି କରି ନେଇଯାଉଥିଲେ।