ଆଜିର ବିଜ୍ଞାନ ଯୁଗରେ ବି ଏଭଳି ଅନେକ ଅଛନ୍ତି ଯେଉଁମାନେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଅଜବ କାମସବୁ କରନ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ରାଜସ୍ଥାନର ଝାଲାୱାଡ ଜିଲାର ଗଙ୍ଗାଧାର ଅଞ୍ଚଳରେ। ଏଠାରେ ବର୍ଷା କରାଇବା ପାଇଁ ଲୋକେ ଗଧକୁ ପୂଜା କରିଛନ୍ତି। ଖାଲି ସେତିକି ନୁହେଁ ଗଧ ଉପରେ ଗାଁର ମୁଖିଆଙ୍କୁ ବସାଇ ଶ୍ମଶାନ ବୁଲାଇଛନ୍ତି। ପୁରାତନ ଅନ୍ଧବିଶ୍ୱାସ ଅନୁସାରେ ଲୋକେ ପ୍ରଥମେ ଗଧକୁ ପୂଜାର୍ଚ୍ଚନା କରିଥିଲେ। ତା’ପରେ ଫୁଲମାଳ ପିନ୍ଧାଇ ଗଧକୁ ଆଳତି କରି ତିଳକ ଲଗାଇଥିଲେ। ଏହାପରେ ପ୍ରସାଦ ଭାବରେ ଗଧକୁ ଗୁଲାପ ଜାମୁନ୍ ଖୁଆଇଥିଲେ। ପରେ ଗାଁ ଲୋକେ ମୁଖିଆଙ୍କୁ ଗଧ ଉପରେ ପଛୁଆ ମୁହଁ କରି ବସାଇ ଶ୍ମଶାନକୁ ନେଇଯାଇ ୭ ଥର ପରିକ୍ରମା କରାଇଥିଲେ। ଶେଷରେ ଲୋକେ ଇନ୍ଦ୍ରଦେବତାଙ୍କୁ ପ୍ରାର୍ଥନା କରି ଘରକୁ ଫେରିଥିଲେ। ଲୋକଙ୍କର ବିଶ୍ୱାସ ଏଭଳି ପୂଜାର୍ଚ୍ଚନା କରିବା ପରେ ଇନ୍ଦ୍ରଦେବତା ସନ୍ତୁଷ୍ଟ ହୋଇ ଖୁବ୍ଶୀଘ୍ର ବର୍ଷା କରାଇବେ। ତେବେ ବର୍ଷା ହେଉ କି ନ ହେଉ ଏଭଳି ଏକ ଅଜବ କାରନାମାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଢେର୍ ଚର୍ଚ୍ଚା ହେଉଛି।