ଏଇ ଭାରତରେ

ଚେନ୍ନାଇର ୩୬ ବର୍ଷୀୟା ଡି. ଉମାରାନୀ ଅସହାୟ ଲୋକଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି। ବିଶେଷକରି ଅନ୍ୟମାନଙ୍କ ଘରେ କାମ କରୁଥିବା ଗରିବ ମହିଳା, ଶ୍ରମିକ ଶ୍ରେଣୀର ଲୋକ କିମ୍ବା ପରିବାର ଛାଡ଼ି ଅସହାୟ ଅବସ୍ଥାରେ ରହୁଥିବା ୮୦୦ ଲୋକଙ୍କୁ ପ୍ରତିଦିନ ଦୁଇବେଳା ମାଗଣାରେ ଖାଇବାକୁ ଦେଉଛନ୍ତି। ଏଭଳି କାର୍ଯ୍ୟ ପାଇଁ ଲୋକେ ଉମାଙ୍କୁ ‘ଅନ୍ନପୂରାଣୀ’ ଅର୍ଥାତ୍‌ ଖାଦ୍ୟଦେବୀ ବୋଲି ସମ୍ବୋଧନ କରୁଛନ୍ତି। ଉମା ଚେନ୍ନାଇ କିଲକାଟାଲ୍ଲାଇର ଉଜଭାର ସନ୍ଧାଇ ନିକଟରେ ରହୁଛନ୍ତି। ସେ କୋଭିଡ୍‌ ମହାମାରୀ ପରେ ଏହି ସେବା ଆରମ୍ଭ କରିଥିଲେ। ସେତେବେଳେ ତିରୁଭାନ୍ନା ମଲାଇରେ ଜଣେ ନର୍ସିଂ ଟ୍ୟୁଟର ଭାବେ କାମ କରୁଥିବା ଉମା ତାଙ୍କ ସଞ୍ଚତ୍ତ ଅର୍ଥରେ ମାଗଣା ଖାଦ୍ୟ ଯୋଗାଇବା କାର୍ଯ୍ୟ ଆରମ୍ଭ କରିଥିଲେ। ଏବେ ମଧ୍ୟ ତାହା ଜାରି ରଖିଛନ୍ତି। ଏଠାରେ ସେ ଅନ୍ନ, ସମ୍ବର, ପରିବା ତରକାରି, ମାଣ୍ଡିଆ ଯାଉ ଆଦି ଦେଉଛନ୍ତି। ଖାଇବାକୁ ଦେଉଥିବା ଜାଗାର ନାମ ରଖିଛନ୍ତି ଥାଭାମୋଝି ଅନ୍ନଧନ କୋଡାମ(ଥାଭାମୋଝି ମାଗଣା ଖାଦ୍ୟ କେନ୍ଦ୍ର)। ଖାଦ୍ୟ ପ୍ରସ୍ତୁତ କରିବାରେ କେତେଜଣ ସ୍ବେଚ୍ଛାସେବୀ ସହଯୋଗ କରୁଛନ୍ତି। ଉମାଙ୍କ ଏପରି କାର୍ଯ୍ୟ ପାଇଁ କେତେଜଣ ବ୍ୟକ୍ତି ଆର୍ଥିକ ସହାୟତା ମଧ୍ୟ ଦେଉଛନ୍ତି।