ଏଇ ଭାରତରେ

ଏବେ ଜୈବ ଚମଡ଼ା(ବାୟୋ ଲେଦର) ବ୍ୟବହାର କରିପାରିବେ। ବିଶେଷକରି ଟମାଟୋ ବର୍ଜ୍ୟରୁ ଏହା ତିଆରି କରାଯାଉଛି। ୨୬ ବର୍ଷ ବୟସ୍କ ପ୍ରୀତିଶ୍‌ ମିସ୍ତ୍ରି ଦି ବାୟୋ କମ୍ପାନୀ(ଟିବିସି) ପ୍ରତିଷ୍ଠା କରି ତା’ ମାଧ୍ୟମରେ ଏଭଳି ଚମଡ଼ା ପ୍ରସ୍ତୁତ କରୁଛନ୍ତି। ଏହି ବାୟୋ ଲେଦର ନରମ ଓ ଟାଣ ହେଉଛି। ଟମାଟୋରେ ପ୍ରାକୃତିକ ପଲିମର ପେପ୍‌ଟିନ ରହିଥିବାରୁ ରାସାୟନିକ ପ୍ରକ୍ରିୟାକରଣ ସାହାଯ୍ୟରେ ଏହି ଚମଡ଼ା ତିଆରି କରାଯାଉଛି। ପ୍ରୀତିଶ୍‌ ଥାଡୋମଲ ସାହାଣୀ ଇଞ୍ଜିନିୟରିଂ କଲେଜରୁ ବାୟୋଟେକ୍‌ନୋଲୋଜିରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ପଢ଼ିବା ସମୟରୁ ହିଁ ସେ ଜୈବ ଚମଡ଼ା ତିଆରି ଉପରେ ଗବେଷଣା କରି ୨୦୧୯ରେ ସଫଳତା ପାଇଥିଲେ। ଏବେ ବାୟୋ ଲେଦର ପାଇଁ ସେ ଟମାଟୋ ବର୍ଜ୍ୟ ମହାରାଷ୍ଟ୍ର, ଗୁଜରାଟ ଏବଂ ମଧ୍ୟପ୍ରଦେଶର ବିଭିନ୍ନ ଅଞ୍ଚଳରେ ଥିବା ଫାର୍ମ ଓ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌ରୁ ସଂଗ୍ରହ କରୁଛନ୍ତି। ସୁରଟସ୍ଥିତ ଏକ କମ୍ପାନୀରେ ପ୍ରତି ମାସରେ ପାଖାପାଖି ୫,୦୦୦ ମିଟର ବାୟୋ ଲେଦର ତିଆରି ହେଉଛି। ଭାରତରେ ବର୍ଷକୁ ୪୪ ମିଲିୟନ ଟନ୍‌ ଟମାଟୋ ଉପତ୍ାଦନ ହେଉଛି ଓ ଏହାର ୩୦-୩୫ ପ୍ରତିଶତ ନଷ୍ଟ ହୋଇଯାଉଛି। ଯଦି ଏହାକୁ ଜୈବ ଚମଡ଼ା ପ୍ରସ୍ତୁତିରେ ବ୍ୟବହାର କରାଯାଇପାରନ୍ତା, ତେବେ ବହୁସଂଖ୍ୟାରେ ଜୀବ ହତ୍ୟା ହ୍ରାସ ପାଇପାରନ୍ତା ବୋଲି କୁହନ୍ତି ପ୍ରୀତିଶ୍‌।