ଏଇ ଭାରତରେ

ଖରାଦିନେ ପୋଷାକ ଖଣ୍ଡେ ପିନ୍ଧି ନିତିଦିନିଆ କାମ କରୁଥିବେ, କିଛି ସମୟ ପରେ ଦେହରେ ଆପେଆପେ ଏସିର ଥଣ୍ଡା ପବନ ବାଜିବା ଭଳି ଅନୁଭବ ହେବ। ଏମିତି ଏକ କଥାକୁ କଳ୍ପନା ବୋଲି ଭାବୁଛନ୍ତି କି! ଆଦୌ ନୁହେଁ। ବିହାରର ଭାଗଲପୁରରେ ଏପରି ଏକ ସ୍ବତନ୍ତ୍ର ଧରଣର କପଡା ପ୍ରସ୍ତୁତ କରାଯାଇଛି, ଯାହା ଥଣ୍ଡା ଅନୁଭବ ଆଣିଦେଇପାରିବ। ଏଠାକାର ବୁଣାକାରମାନେ ଖରାଦିନ ପାଇଁ ସ୍ବତନ୍ତ୍ରଭାବେ ଏଭଳି ବିଭିନ୍ନ ପ୍ରକାର କପଡା ତିଆରି କରିଛନ୍ତି। ଜଣେ ବୁଣାକାର ହେମନ୍ତ କୁମାର କହିଛନ୍ତି ଯେ ସାରା ଦେଶରେ ଭାଗଲପୁର କପଡାର ସ୍ବତନ୍ତ୍ର ଚାହିଦା ରହିଛି। ତେଣୁ କିଛି ନୂଆ ଢଙ୍ଗରେ କପଡା ତିଆରି କରିବା ପାଇଁ ବୁଣାକାରମାନେ ସବୁବେଳେ ଚେଷ୍ଟା କରନ୍ତି। ଏବେ ଖରାଦିନ ପାଇଁ ଏଭଳି କପଡା ତିଆରି ହୋଇଛି, ଯେଉଁଥିରେ ପୋଷାକ ତିଆରି କରି ପିନ୍ଧିଲେ ଆଦୌ ଗରମ ଅନୁଭବ ହେବ ନାହିଁ। ବିଶେଷକରି ଏହା କଟନ ଓ ସ୍ବତନ୍ତ୍ର ପ୍ରକାରର ସିଲ୍କ କପଡାରେ ତିଆରି କରାଯାଇଛି। ଏହି କପଡା ଶରୀରରୁ ବାହାରୁଥିବା ଝାଳକୁ ତୁରନ୍ତ ଗ୍ରହଣ କରିନେବ। ତେଣୁ କପଡାର ବିଶେଷତ୍ୱ ଅନୁସାରେ ଅଳ୍ପ ପବନ ବାଜିଲେ ତାହା ଶରୀରକୁ ଏକପ୍ରକାର ଥଣ୍ଡା ଅନୁଭବ ଦେବ। ତା’ଛଡା ଏହାକୁ ପିନ୍ଧିଲେ ଆରାମ ଅନୁଭବ ସହିତ ତ୍ୱଚାର କୌଣସି ସମସ୍ୟା ମଧ୍ୟ ଦେଖାଦେବ ନାହିଁ। ତେଣୁ ଅନ୍ୟ ଅର୍ଥରେ କହିଲେ ଏହି କପଡାରୁ ତିଆରି ପୋଷାକକୁ ଏକ ଚଳନ୍ତା ଏସି କହିଲେ ବି ଭୁଲ ହେବ ନାହିଁ। ତେବେ ଅନ୍ୟ କପଡା ଭଳି ଏଥିରେ ନିଜ ଇଚ୍ଛା ଅନୁସାରେ ବିଭିନ୍ନ ଡିଜାଇନ୍‌ ପୋଷାକ ବି ତିଆରି କରିହେବ।