ଏହା ନିଶ୍ଚିତ ଯେ ନିଷ୍ଠା ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ଜୀବନର ଗତିପଥ ବଦଳିଯାଏ। ଏଭଳି ଏକ ପରିବର୍ତ୍ତନ ଆସିଛି ରାଜେଶ କୁମାରଙ୍କ ଜୀବନରେ। ରାଜେଶ ସୁକ୍ୟୁରିଟି ଗାର୍ଡ ଚାକିରି ଛାଡ଼ି ଜୈବିକ ପଦ୍ଧତିରେ ଗୋଲାପ ଫୁଲ ଚାଷକରି ମାସକୁ ୫୦ ହଜାର ଟଙ୍କା ରୋଜଗାର କରୁଛନ୍ତି। ରାଜେଶ ରହୁଛନ୍ତି ହରିୟାଣାର ହିନ୍ଦଓ୍ବାନ ଗାଁରେ। ସେ ସିକ୍ୟୁରିଟି ଗାର୍ଡ ଥିବାବେଳେ ମାସକୁ ୫,୦୦୦ ଟଙ୍କା ପାଉଥିଲେ ଓ ଏଥିରେ ପରିବାର ଚଳାଇବା ସମ୍ଭବ ହେଉ ନ ଥିଲା। କିନ୍ତୁ ଗୋଲାପ ଫୁଲ ଚାଷ କରିବା ପରେ ତାଙ୍କ ଅଭାବ ଦୂର ହୋଇପାରିଛି। ରାଜେଶ ଆଂଶିକ ଦୃଷ୍ଟିବାଧିତ ହୋଇଥିବାରୁ ଚାଷ କାମରେ ପରିବାର ଲୋକେ ତାଙ୍କୁ ସାହାଯ୍ୟ କରୁଛନ୍ତି। ସେ କେବଳ ଫୁଲ ବିକ୍ରି କରୁନାହାନ୍ତି, ବରଂ ସେଥିରୁ ରୋଜ ହେୟାର ଅଏଲ, ରୋଜ ଓ୍ବାଟର ଏବଂ ଗାଧୋଇବା ପାଇଁ ରୋଜ ସାବୁନ ତିଆରି କରୁଛନ୍ତି। ଏବେ ସେ ଏହିସବୁ ସାମଗ୍ରୀକୁ ହରିୟାଣା, ଲୁଧିଆନା ଓ ଚଣ୍ଡିଗଡ଼ରେ ବିକ୍ରି କରୁଛନ୍ତି। ୨୦୧୫ରେ ରାଜେଶ ପ୍ରଥମେ ଗେଣ୍ଡୁଫୁଲ ଚାଷ କରିଥିଲେ। ହରିୟାଣା କୃଷି ବିଶ୍ୱବିଦ୍ୟାଳୟରୁ ଫୁଲ ଚାଷ ସମ୍ପର୍କରେ ପ୍ରଶିକ୍ଷଣ ପାଇବା ପରେ ଗୋଲାପ ଫୁଲ ଚାଷ ଆରମ୍ଭ କରିଥିଲେ। ପ୍ରଥମରୁ ସେ ମାସକୁ ୯ ହଜାର ଟଙ୍କା ରୋଜଗାର କରୁଥିଲେ, ଏବେ ଏହାକୁ ପାଖାପାଖି ୫ଗୁଣ ବୃଦ୍ଧି କରିପାରିଛନ୍ତି।