ସ୍ଵତନ୍ତ୍ର ଅଧିବେଶନ ପ୍ରଚ୍ଛଦରେ

ସ୍ଵତନ୍ତ୍ର ସଂସଦ ଅଧିବେଶନ ହଠାତ୍‌ ଡାକିବାର କାରଣ କ’ଣ? କ’ଣ ରହିଛି ସରକାରଙ୍କ ଉଦ୍ଦେଶ୍ୟ ! କୌଣସି ଏଜେଣ୍ଡା ନ ଥାଇ ସ୍ଵତନ୍ତ୍ର ଅଧିବେଶନକୁ ନେଇ ଆରମ୍ଭ ହୋଇଛି ବଡ଼ ଚର୍ଚ୍ଚା। ଫଳତଃ ଯାହା ଜଣାପଡୁଛି ଏହି ଅଧିବେଶନକୁ ନେଇ ସରକାର ଅମୃତକାଳର ମାଷ୍ଟରଷ୍ଟ୍ରୋକ ଦେଖାଇ ପୁଣି ଏକ ବାଜିମାତ ମାରିବାର କୌଶଳ ଆପଣେଇଛନ୍ତି। ସେପ୍ଟେମ୍ବର୧୮ରୁ ୨୨ଯାଏ ୫ ଦିନିଆ ଅଧିବେଶନ ଯେ ଗୋଟିଏ ୨ଟି ବିଷୟକୁ ନେଇ ହେବ ତାହା କଳ୍ପନା ବାହାରେ। ମୌସୁମୀ ଅଧିବେଶନ ଅଗଷ୍ଟ ୧୧ରେ ଶେଷ ହୋଇଥିବା ବେଳେ ହଠାତ୍‌ କାହିଁକି ସ୍ବତନ୍ତ୍ର ଅଧିବେଶନର ଆବଶ୍ୟକତା ପଡ଼ିଲା ତାକୁ ନେଇ ଏବେ ଚାଲିଲାଣି ତର୍ଜମା। ଏପରି କି କେଉଁ ସବୁ ଏଜେଣ୍ଡା ଧରି ଅଧିବେଶନକୁ ସରକାର ଓହ୍ଲେଇବେ ତାହା ଅସ୍ପଷ୍ଟ ହୋଇଥିଲେ ବି ସରକାର ନିଜର ଭାବମୂର୍ତ୍ତିକୁ ଅଧିକ ନିର୍ମଳ କରିବାକୁ ଓ ବିରୋଧୀ ମେଣ୍ଟକୁ ଚକମା ଦେଖାଇ ଆଗାମୀ ନିର୍ବାଚନୀ ବୈତରଣୀ ପାରି ହେବାକୁ ବାଟ ଦେଖୁଛନ୍ତି ଏହା ସ୍ପଷ୍ଟ।
ସରକାରଙ୍କ ମୁଣ୍ଡ ଉପରେ ବୋଝ ବଢ଼ିଛି। ବୋଝ ରହିଲେ ନଇଁ ପଡ଼ିବାର ଆଶଙ୍କା ଥିବାରୁ ବର୍ତ୍ତମାନଠୁ ଅନେକ ବୋଝ ନ ଖସାଇଲେ ଆଗକୁ ବିପଦ। ଜମ୍ମୁ-କଶ୍ମୀର ସେ ଭିତରୁ ଗୋଟିଏ ବୋଝ ସରକାରଙ୍କ ପାଇଁ। ସରକାର ଧାରା ୩୭୦ ଉଠାଇଲେ ସିନା ବଲ ଝୁଲୁଛି ସୁପ୍ରିମକୋର୍ଟରେ। ଶୁଣାଣି ଚାଲିଥିବା ବେଳେ ସୁପ୍ରିମକୋର୍ଟ ରାଜ୍ୟ ମାନ୍ୟତା କେବେ ମିଳିବ ବୋଲି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିବାରୁ ସମ୍ଭବତଃ ଜମ୍ମୁ-କଶ୍ମୀର ନିର୍ବାଚନ କରାଇବାକୁ ଓ ରାଜ୍ୟ ମାନ୍ୟତା ଦେବାକୁ ସରକାର ଆଲୋଚନା କରି ଉପାୟ ଖୋଜିପାରନ୍ତି। ଏହା ଗୋଟିଏ ଦିଗକୁ ଇସାରା କରୁଥିବା ବେଳେ ବର୍ତ୍ତମାନ କିନ୍ତୁ ସରକାରଙ୍କ ଉପଲବ୍ଧି ନେଇ ଉଠିଛି ବଡ଼ ପ୍ରଶ୍ନ। ଅମୃତକାଳ ମହୋତ୍ସବ ଓ ଭାରତକୁ ବିକଶିତ ରାଷ୍ଟ୍ର ଭାବେ ବ୍ୟବହାର କରିପାରନ୍ତି। ଚନ୍ଦ୍ରୟାନ-୩ର ସଫଳତା ଭଳି ସରକାରଙ୍କ ଉପଲବ୍ଧି ପ୍ରସଙ୍ଗ ଏଜେଣ୍ଡାରେ ସ୍ଥାନ ଅଳଙ୍କୃତ କରିପାରେ। ପୁଣି ରାଜଧାନୀ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ପାଇଁ ସଫଳ ଆୟୋଜନ ସମ୍ପର୍କରେ ମଧ୍ୟ ଅଧିବେଶନର ତାତ୍ପର୍ଯ୍ୟ ରହୁଛି। ସମ୍ଭବତଃ ସରକାର ବିଭିନ୍ନ କ୍ଷେତ୍ରରେ ତାଙ୍କର ଉପଲବ୍ଧିକୁ ଏହି ସ୍ବତନ୍ତ୍ର ଅଧିବେଶନର ପ୍ଲାଟଫର୍ମ ମାଧ୍ୟମରେ ଉପଯୋଗ ନ କରିବେ କିଏ କହିବ ? ପୁନଶ୍ଚ ଏହି ଅଧିବେଶନ ନୂଆ ସଂସଦ ଭବନରେ ବସିବ ଓ ଏଥିପାଇଁ ଶେଷ ସ୍ପର୍ଶ ସରିଥିବା ଆଲୋଚନା ହେଉଛି।
ଯଦି ନିର୍ବାଚନକୁ ଆଖି ପକାଇବା ତେବେ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲଙ୍ଗାନା ଓ ନାଗାଲାଣ୍ଡ ଭଳି ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏ ପରିପ୍ରେକ୍ଷୀରେ ନଭେମ୍ବର ଡିସେମ୍ବର ମାସରେ ଶୀତକାଳୀନ ଅଧିବେଶନ ବିଳମ୍ବିତ ହେବାର ଆଶଙ୍କା ଉପୁଯାଇଛି। ସେପଟେ ଓଡ଼ିଶା ଆଗୁଆ ନିର୍ବାଚନ ପାଇଁ ଗୋଟିଚାଳନା କରି ନିଜ କସରତ ୪ ମାସ ଆଗରୁ ଦେଖାଇ ଆସୁଛି। ରାଜନୈତିକ ଅଳିନ୍ଦରେ ଆଗୁଆ ନିର୍ବାଚନ, କେବଳ ଓଡ଼ିଶାରେ ମୁଣ୍ଡ ଟେକିନି ବରଂ କେନ୍ଦ୍ର ସରକାରଙ୍କ ମୁଣ୍ଡ ଉପରେ ଏହା ଏକ ବଡ଼ ବୋଝ ବୋଲି ସରକାର ଚିନ୍ତା କଲେଣି। ସେପଟେ ଫେବୃୟାରୀ ପରେ ପିଲାଙ୍କ ପରୀକ୍ଷା, ତେଣୁ ସ୍କୁଲ ଶିକ୍ଷକ କେବଳ ସମସ୍ୟା ହୋଇ ଠିଆ ହେବେନି ସରକାର ପାଖରେ। ବରଂ ଶବ୍ଦ ପ୍ରଦୂଷଣ ବଢ଼ିବା ଓ ପରୀକ୍ଷା ବେଳକୁ ନିର୍ବାଚନ ଏଭଳି ରୋଷର ଶିକାର ବି ସରକାର ହୋଇପାରନ୍ତି। ଏ ସବୁ ଦିଗକୁ ଆଖି ଆଗରେ ରଖି ସରକାର ନିଜ ପାରିବାପଣର କୌଶଳ ଖେଳ ନ ଦେଖାଇବେ କିଏ କହିବ। ସୁଯୋଗ ଏବେ ହାତ ପାଆନ୍ତାରେ ଥିବାବେଳେ ସରକାର ନିଜର ରାଜନୈତିକ ଗୋଟିଚାଳନାରେ ଏକକ ନିର୍ବାଚନ, ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌ ବି ଏହି ଅଧିବେଶନରେ ଉଠାଇ ପାରନ୍ତି। ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’କୁ ଉପଯୋଗ କରିବାକୁ ଏହି ସ୍ବତନ୍ତ୍ର ଅଧିବେଶନର ପ୍ଲାଟଫର୍ମଠାରୁ ଆଉ ବଡ଼ ପ୍ଲାଟଫର୍ମ ମିଳିବ ଆଶା କରିବା ବୃଥା।
ସେପଟେ ଇଣ୍ଡିଆ ଘେରିଛି ଏନ୍‌ଡିଏକୁ। ଏହି ମେଣ୍ଟର ସ୍ଥିତିକୁ ସୁଦୃଢ଼ କରି ନ ଦେବାକୁ ବା ସଂଗଠିତ ହେବାକୁ ଅଧିକ କାଳ ସମୟ ନ ଦେଇ ସରକାର ତାଙ୍କ ତାଜା ସର୍ଭେକୁ ଧରି ଆଗୁଆ ବି ଭୋଟର ପାଖକୁ ନ ଯିବେ କିଏ କହିବ ? ତାଜା ସର୍ଭେ କହୁଛି ନରେନ୍ଦ୍ର ମୋଦିଙ୍କ ଏନ୍‌ଡିଏ ସରକାରର ଏବେ ଲୋକପ୍ରିୟତା ରହିଛି। ସେପଟେ ନୀତି ଆୟୋଗଙ୍କ ମତ ଉପରେ ସମ୍ମାନର ମୁକୁଟ ପିନ୍ଧାଇ ନିଜେ ପୁଣି ଥରେ ମୁକୁଟ ପିନ୍ଧିବାକୁ ପାଗ ଭିଡ଼ିବା ପାଇଁ ସରକାର ଚିନ୍ତା କିଭଳି କରିବେନି। ଲୋକ ସଭା ସହିତ ବିଧାନସଭା ପାଇଁ ଏକା ସମୟରେ ନିର୍ବାଚନ କରାଇବା ସପକ୍ଷରେ ନୀତି ଆୟୋଗ ମତ ରହିଥିବାରୁ ଫାଇଦା ନେବାକୁ ସରକାର ଭିତରେ ଭିତରେ ମନ ସ୍ଥିର କରିସାଲେଣି। ଏ ନେଇ ଚଳିତବର୍ଷ ଜାନୁୟାରୀ ମାସରେ ନୀତି ଆୟୋଗ ବିଭିନ୍ନ ରାଜନୈତିକ ଦଳଗୁଡ଼ିକୁ ଯେଉଁ ୬ ପ୍ରଶ୍ନର ଉତ୍ତର ଚାହିଁଥିଲେ ତାହା ହୁଏତ ସରକାର ନିଜର ବାହାବାଃ ନେବାକୁ ଏଭଳି ବିଲ୍‌ ପାଶ୍‌ କରାଇ ଗୋଟିଏ ଗୁଳିରେ ୨ ଶିକାର କରିବା ଭଳି ଅଧିବେଶନକୁ ପ୍ରୟୋଗଶାଳାର ପରିଚୟ ସାଉଁଟିବାକୁ ଭଲ ପ୍ରୟାସ କରିପାରନ୍ତି। କେତେକ ରାଜନୈତିକ ଦଳ ଏହାକୁ ବିରୋଧ କରୁଥିବା ବେଳେ ସମାନ ଆଚରଣ ସଂହିତା ଧାର୍ମିକ ପରମ୍ପରା ସହ ଜଡ଼ିତ ରହିଛି। ଏଥିରେ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମସ୍ତଙ୍କ ପାଇଁ ଗୋଟିଏ ନିୟମ ରହୁ। ପୌଷ୍ୟ ସନ୍ତାନ ଓ ଉତ୍ତରାଧିକାରୀ ସହିତ ଜଡ଼ିତ ବ୍ୟକ୍ତିଗତ ନିୟମ ଆଦି ୟୁସିସିରେ ରହିଛି। ସେପଟେ ମହିଳା ସଶକ୍ତୀକରଣ ନେଇ ରାଜନୀତି ଜୋର ଧରିଥିବାରୁ ମହିଳା ସଂରକ୍ଷଣ ବିଲ୍‌ ମଧ୍ୟ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଚ ସୃଷ୍ଟି କରୁଛି। ତେଣୁ ଏ ଦିଗରେ ମଧ୍ୟ ଏକ ବେଧେୟକ ସରକାର ଆଣିବା ସମ୍ଭାବନା ରହିଛି।
ତେବେ ଏ ସବୁ ଛାଡ଼ି ସରକାର ନିଜର ଲୋକପ୍ରିୟତାକୁ ଅକ୍ଷୁଣ୍ଣ ରଖିବା ପାଇଁ ‘ସେବାପକ୍ଷ’କୁ ଅଧିକ ବ୍ୟାପକ କରିପାରନ୍ତି। ଏହି ସ୍ବତନ୍ତ୍ର ଅଧିବେଶନ ମୋଦିଙ୍କ ଜନ୍ମଦିନର ଦିନକ ପରେ ପଡୁଥିବାରୁ ‘ସେବାପକ୍ଷ’କୁ ଅନ୍ୟ ଢଙ୍ଗରେ ପାଳନ କରି ନିଜ ଲୋକପ୍ରିୟତାକୁ ଅଧିକ ପ୍ରଚାର ଓ ପ୍ରସାରମୁଖୀ କରିବାକୁ ଦି’ପାଦ ଆଗକୁ ନ ବଢ଼ିବେ କିଏ କହିବ? ତେବେ ଯାହା ବି ହେଉ କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର ଅଧିବେଶନକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ କେବଳ ହଟଚମଟ ଦେଖାଦେଇନି ବରଂ ସରକାରଙ୍କ ମାଷ୍ଟରଷ୍ଟ୍ରୋକ ନୂଆ ଦିଶାର ସମ୍ଭାବନାକୁ ବାଟ ଦେଖାଉଥିବା ଆଶା କରାଯାଉଛି।

  • ଡା. ରାଜାରାମ ଷଡ଼ଙ୍ଗୀ
    ମୋ:୯୪୩୭୪ ୦୫୪୫୫