“ରାଜନୀତିରେ ମୂଲ୍ୟ ଦେବାକୁ ପଡ଼େ”: ଅଜିତଙ୍କ ମୃତ୍ୟୁ ପରେ ଏପରି କାହିଁକି କହିଲେ ରାଜ ଠାକରେ

ପୁଣେ,୨୮।୧: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଆକସ୍ମିକ ନିଧନରେ ଅନେକ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି। ଏପରି ସମୟରେ ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ମୁଖ୍ୟ ରାଜ ଠାକରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସୋସିଆଲ ମିଡିଆରେ ଏକ ଭାବପୂର୍ଣ୍ଣ ପୋଷ୍ଟ କରି ରାଜ ଠାକରେ କହିଛନ୍ତି ଯେ, ଅଜିତ ପାୱାର ଅତ୍ୟନ୍ତ ସ୍ପଷ୍ଟବାଦୀ ଥିଲେ। କୌଣସି କାମ ହେବା ଭଳି ନଥିଲେ ସେ ସିଧାସଳଖ ମନା କରିଦେଉଥିଲେ। ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରତାରିତ କରିବା ତାଙ୍କ ଶୈଳୀ ନଥିଲା। ରାଜନୀତିରେ ଏଭଳି ସ୍ପଷ୍ଟବାଦିତା ପାଇଁ ଅନେକ ସମୟରେ “ମୂଲ୍ୟ ଦେବାକୁ ପଡ଼ିଥାଏ” ବୋଲି ସେ କହିଛନ୍ତି।

ଅଜିତ ପାୱାରଙ୍କ ଜାତିହୀନ ରାଜନୀତିକୁ ପ୍ରଶଂସା କରି ଠାକରେ କହିଛନ୍ତି ଯେ, ତାଙ୍କ ରାଜନୀତିରେ ଜାତିବାଦର କୌଣସି ସ୍ଥାନ ନଥିଲା। ଆଜିର ସମୟରେ ଏଭଳି ନେତା ବିରଳ।

ବାରାମତୀ ଏବଂ ପିମ୍ପରି-ଚିଞ୍ଚୱାଡ଼ର ରୂପାନ୍ତରଣ ପାଇଁ ଅଜିତ ପାୱାରଙ୍କ ଅବଦାନକୁ ବିରୋଧୀମାନେ ମଧ୍ୟ ସ୍ୱୀକାର କରନ୍ତି। ପ୍ରଶାସନିକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ଏବଂ ଅଟକି ରହିଥିବା ଫାଇଲ୍‌ଗୁଡ଼ିକୁ ସମାଧାନ କରିବାରେ ତାଙ୍କର ବିଚକ୍ଷଣ ଜ୍ଞାନ ଥିଲା।

ରାଜ ଠାକରେଙ୍କ ଅନୁଯାୟୀ, ରାଜନୈତିକ ବିରୋଧ କେବଳ ରାଜନୀତିରେ ସୀମିତ ଥିଲା, କିନ୍ତୁ ବ୍ୟକ୍ତିଗତ ସମ୍ପର୍କ ସବୁବେଳେ ସୌହାର୍ଦ୍ଧ୍ୟପୂର୍ଣ୍ଣ ରହିଥିଲା। ଅଜିତ ପାୱାରଙ୍କ ବିୟୋଗ ମହାରାଷ୍ଟ୍ର ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଉଲ୍ଲେଖ କରି ରାଜ ଠାକରେ ଶୋକସନ୍ତପ୍ତ ପାୱାର ପରିବାରକୁ ସମବେଦନା ଜଣାଇଛନ୍ତି।