ଆନନ୍ଦପୁର, ୩୦।୧(ସୁଶାନ୍ତ କୁମାର ସାହୁ): ବୋହୂଙ୍କୁ ଘର ଭିତରେ କବାଟ ଦେଇ ପୋଡି ମାରିଦେବାକୁ ଉଦ୍ୟମ କଲେ ଶ୍ୱଶୁର ଘର ଲୋକେ। ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି କେନ୍ଦୁଝର ଜିଲା ଆନନ୍ଦପୁର ଥାନା ପଦ୍ମପୁର ଗ୍ରାମରେ।
ସୂଚନା ଅନୁଯାୟୀ, ଘସିପୁରା ଥାନା ବେଲବାହାଳି ଗ୍ରାମର ଗୋଲାପ ମଞ୍ଜରୀ ସାହୁ ପଦ୍ମପୁର ଗ୍ରାମର ରାଜେଶ କୁମାର ସାହୁଙ୍କୁ ୭ ବର୍ଷ ପୂର୍ବେ ବିବାହ କରିଥିଲେ। ଗତ ଡିସେମ୍ବର ମାସ ୨୫ ତାରିଖ ଗୋଲାପଙ୍କୁ ଘର ଭିତରେ କବାଟ ଦେଇ ପୋଡି ମାରିବାକୁ ଉଦ୍ୟମ କରିଥିଲେ ଶାଶୁ ଶ୍ୱଶୁର ଓ ସ୍ବାମୀ । ଗୋଲାପଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ଓ ସେଠାରୁ ଆସି ସେ ବାପଘର ବେଲବାହାଳିରେ ରହୁଥିଲେ। ଗୋଲାପଙ୍କ ସ୍ବାସ୍ଥ୍ୟରେ ଧୀରେ ଧୀରେ ସୁଧାର ଆସିବାରୁ ଶାଶୁ ଘର ଲୋକେ କିପରି ତାଙ୍କୁ ଦିଆସିଲି ମାରି ପୋଡି ମାରିବା ପାଇଁ ଯୋଜନା କରିଥିଲେ ସେ ସବୁର ସମ୍ପୂର୍ଣ୍ଣ ଘଟଣା ନିଜ ପରିବାର ଆଗରେ ବଖାଣିଥିଲେ। ଏବେ ପୁନର୍ବାର ଗୋଲାପଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ବାପଘର ଲୋକେ ତାଙ୍କୁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରିଛନ୍ତି। ଏନେଇ ଗୋଲାପଙ୍କ ବାପା ଅଯୋଧ୍ୟା ସାହୁ ଆନନ୍ଦପୁର ଥାନାର ଦ୍ୱାରସ୍ଥ ହୋଇ ସ୍ବାମୀ ରାଜେଶ, ଶ୍ୱଶୁର ହାଡିବନ୍ଧୁ ସାହୁ ଓ ଶାଶୁ ଶକୁନ୍ତଳାଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ଏତଲା ଆଧାରରେ ଆନନ୍ଦପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।