ଗୋଟିଏ ଟମାଟୋ ବି ଜଣଙ୍କ ପାଇଁ ମୃତ୍ୟୁର କାରଣ ହୋଇପାରେ! କଥାଟା ଶୁଣିଲେ ଅଜବ ଲାଗିପାରେ। ହେଲେ ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶ ଅନୁପପୁର ଜିଲା ବିଜୁରୀ ଥାନା ଅଞ୍ଚଳରେ। ଏହି ଅଞ୍ଚଳରେ ଜଣେ ଯୁବକ ଗତ ସୋମବାର ରାତିରେ ପରିବା ମାର୍କେଟରେ ବୁଲୁଥିଲେ। ହଠାତ୍ ସେ ଏକ ଠେଲାଗାଡିରେ ବିକ୍ରି ହେବାକୁ ଥିବା ଟମାଟୋ ଗୋଟେ ଆଣି ଖାଇବାକୁ ଲାଗିଲେ। କିନ୍ତୁ ଠେଲା ପାଖରେ ଥିବା ଜଣେ ମହିଳା ତାଙ୍କୁ ଏପରି ନ କରିବାକୁ କହିଲେ। ବାସ୍ ତା’ପରେ ମହିଳାଙ୍କର ଭାଗ୍ୟ ଖରାପ ପଡିଗଲା। ସେହି ଯୁବକଜଣକ ଏଭଳି ପ୍ରଚଣ୍ଡଭାବରେ ରାଗିଗଲେ ଯେ ମହିଳାଙ୍କୁ ମନଇଚ୍ଛା ଗାଳି କରିବାକୁ ଲାଗିଲେ। ଗାଳି କରିବା ପରେ ବି ମନ ଶାନ୍ତ ହେଲାନି। ହଠାତ୍ ପାଖରେ ପଡିଥିବା ଏକ ବାଉଁଶ ଆଣି ଆକ୍ରମଣ କରିବାକୁ ଲାଗିଲେ। ମାତ୍ର କେଇ ମିନିଟ୍ ଭିତରେ କ’ଣ ସବୁ ଘଟିଯାଉଛି ସେ ସମ୍ପର୍କରେ ପାଖରେ ଥିବା ଲୋକେ ହଠାତ୍ ବୁଝି ପାରି ନ ଥିଲେ। ହେଲେ ମହିଳାଙ୍କ ଉପରେ ଆକ୍ରମଣ ହେବା ପରେ ସ୍ଥାନୀୟ ଲୋକେ ଆସି ପ୍ରତିରୋଧ କରିଥିଲେ। କିନ୍ତୁ ସେତେବେଳକୁ ମହିଳାଜଣକ ଲହୁଲୁହାଣ ହୋଇଯାଇଥିଲେ। ଆକ୍ରମଣକାରୀ ଯୁବକଙ୍କୁ କାବୁ କରିବା ପରେ ମହିଳାଙ୍କୁ ଲୋକେ ତୁରନ୍ତ ଡାକ୍ତରଖାନାକୁ ନେଇ ଯାଇଥିଲେ। ହେଲେ ଡାକ୍ତରଖାନାରେ ପହଞ୍ଚତ୍ବାବେଳକୁ ମହିଳାଙ୍କର ମୃତ୍ୟୁ ହୋଇଯାଇଥିଲା। ଛୋଟିଆ କଥାଟିଏର ଏଭଳି ଅନ୍ତ ଘଟିପାରେ ଏହା ବିଶ୍ୱାସ ହେଉନାହିଁ।