ପ୍ଲାଷ୍ଟିକ୍ ପ୍ରଦୂଷଣ ଦୂର କରିବା ଲାଗି ବିଭିନ୍ନ ବର୍ଜ୍ୟରୁ ଏହାର ବିକଳ୍ପ ସାମଗ୍ରୀ ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି ରେହା କୋଠାରି ଓ ରିଶିକା ରେଡ୍ଡୀ। ଲକ୍ଡାଉନ ସମୟରେ ସମସ୍ତେ ଘରକୁ ସାମଗ୍ରୀ ମଗାଉଥିଲେ ଏବଂ ଏହା ଯୋଗୁ ଘରେ ପ୍ଲାଷ୍ଟିକ୍ କିମ୍ବା ଜରି ପ୍ୟାକେଜିଂ ବର୍ଜ୍ୟ ବଢ଼ିଯାଇଥିଲା। ଏହାକୁ ଲକ୍ଷ୍ୟକରି ଏହାର ପରିବେଶ ଉପଯୋଗୀ ବିକଳ୍ପ ଖୋଜିବା ଲାଗି ସେମାନେ ଏକାଠି ଗବେଷଣା ଆରମ୍ଭ କରିଦେଇଥିଲେ। ରିଶିକାଙ୍କ ପରିବାର ପ୍ରିଣ୍ଟିଂ ବିଜନେସ୍ ସହ ଜଡ଼ିତ ଥିବା ହେତୁ ସେ ସହଜରେ ଗବେଷଣାରେ ସକ୍ଷମ ହୋଇପାରିଲେ। ଏବେ ସେମାନେ କଫି, ଛତୁ, କଦଳୀ ଚୋପା, ଟମାଟୋ ବର୍ଜ୍ୟରୁ ପ୍ୟାକେଜିଂ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି, ଯାହା ସମ୍ପର୍ଣ୍ଣ ପରିବେଶ ଉପଯୋଗୀ। ଏହିସବୁ ସାମଗ୍ରୀ ସହଜରେ ଓ କମ୍ ସମୟରେ ମାଟିରେ ମିଶିଯାଉଛି। ଏହି ଦୁଇ ମହିଳା ଉଦ୍ୟୋଗୀ ‘ଦି ମେଣ୍ଡ୍ ପ୍ୟାକେଜିଂ’ କମ୍ପାନୀ ପ୍ରତିଷ୍ଠାକରି ପ୍ୟାକେଜିଂ ସାମଗ୍ରୀ ତିଆରି କରୁଛନ୍ତି। ଏହି କମ୍ପାନୀକୁ ସେମାନେ ୨୦୨୦ରେ ପ୍ରତିଷ୍ଠା କରିଥିଲେ। ଏବେ କମ୍ପାନୀରେ ୭୦ରୁ ଅଧିକ ଉତ୍ପାଦ ପ୍ରସ୍ତୁତ ହେଉଛି। କମ୍ପାନୀ ୨୮୦ ଜଣ ଭେଣ୍ଡରଙ୍କ ସହ କାମ କରି ମୁମ୍ବାଇ, ଦିଲ୍ଲୀ ଓ ହାଇଦ୍ରାବାଦରେ ଏକ ମଜଭୁତ ଯୋଗାଣ ନେଟ୍ଓ୍ବର୍କ ପ୍ରତିଷ୍ଠା କରିପାରିଛି।