ସମସ୍ୟା ସମାଧାନ ନ ହେଲେ ସମସ୍ତେ ବିରୋଧ କରନ୍ତି। ଏଥିପାଇଁ କେହି କେହି ଆଇନର ଆଶ୍ରୟ ନିଅନ୍ତି ତ କେହି ଅନୁରୋଧ କରନ୍ତି। ହେଲେ ବେଳେବେଳେ ଲୋକେ ଏଭଳି ଅଜବ ଢଙ୍ଗରେ ବିରୋଧ ପ୍ରଦର୍ଶନ କରନ୍ତି ଯେ ତାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ଠିକ୍ ଏମିତି ଭିନ୍ନ ଢଙ୍ଗରେ ବିରୋଧ ପ୍ରଦର୍ଶନ କରିଛନ୍ତି ମଧ୍ୟପ୍ରଦେଶ ଗ୍ବାଲିୟରସ୍ଥିତ ଖୋରିଆମୋଦି ଅଞ୍ଚଳର ରାମସେବକ ପାଲ୍। ସେ ତାଙ୍କ ବାଇକ୍ ସଜାଡିବା ପାଇଁ ଦେଇଥିଲେ। କିନ୍ତୁ ବାରମ୍ବାର କହିବା ପରେ ବି ସମ୍ପୃକ୍ତ ଏଜେନ୍ସି ତାଙ୍କ ବାଇକ୍ ସର୍ଭିସିଂ କରିବାରେ ବିଳମ୍ବ କରୁଥିଲା। ଫଳରେ ହତୋତ୍ସାହିତ ହୋଇ ସେ ସର୍ଭିସିଂ ସେଣ୍ଟର ଆଗରେ ବିକ୍ରି ପାଇଁ ନେଇଥିବା କ୍ଷୀରକୁ ନିଜ ଉପରେ ଢାଳି ସେହିଠାରେ ତଳେ ପଡି ରହିଥିଲେ। ସର୍ଭିସିଂ ସେଣ୍ଟରର କର୍ମଚାରୀଙ୍କ ବିରୋଧରେ ତାଙ୍କର ଏଭଳି ବିରୋଧ ପ୍ରଦର୍ଶନକୁ ଦେଖି ସ୍ଥାନୀୟ ଲୋକେ ହଠାତ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କୁ ବୁଝାଶୁଝା କରିବା ପାଇଁ ବି ଚେଷ୍ଟା କରିଥିଲେ। କିନ୍ତୁ ବାଇକ୍ ନ ଥିବାରୁ ସାଇକେଲରେ ବିଭିନ୍ନ ସ୍ଥାନକୁ କ୍ଷୀର ନେଇ ଯିବା ଫଳରେ ତାହା ନଷ୍ଟ ହୋଇଯାଉଥିଲା। ଏଥିପାଇଁ ସେ ବହୁ କ୍ଷତି ସହୁଥିଲେ ବୋଲି କହିଥିଲେ। ଏହି କାରଣରୁ ମର୍ମାହତ ହୋଇ ସେ ଏଭଳି ନିଷ୍ପତ୍ତି ନେଇଥିଲେ। ତାଙ୍କର ଏଭଳି ଢଙ୍ଗରେ ବିରୋଧ ପ୍ରଦର୍ଶନ ସ୍ଥାନୀୟ ଅଞ୍ଚଳରେ ଯେତିକି ଚର୍ଚ୍ଚିତ ହୋଇଛି ତା’ ଠାରୁ ବେଶି ଭାଇରାଲ ହେଉଛି ସୋସିଆଲ ମିଡିଆରେ।