ଝିଅମାନଙ୍କୁ ରାସ୍ତାରେ ବୁଲେଟ୍ ଚଲାଇବାର ପ୍ରାୟତଃ କେହି ଦେଖି ନ ଥିବେ। ହେଲେ ମଧ୍ୟପ୍ରଦେଶର ଜବଲପୁରରେ ଏମିତି କିଛି ଦେଖିବା ନୂଆ କଥା ନୁହେଁ। ଝିଅମାନେ ବି ଏଠି ବୁଲେଟ୍ ଓ ବାଇକ୍ ଚଢ଼ି ଯିବାଆସିବାର ଅଭ୍ୟାସ ଚଳାଇଛନ୍ତି। ତେବେ ଯୁବତୀମାନଙ୍କୁ ଏହି ତାଲିମ ଦେଉଛନ୍ତି ସହରର ଦୁଇ ଯୁବତୀ ଶ୍ୱେତା ଦୁବେ ଓ ନୁପୂର ପଟେଲ। ଏହି ଦୁଇଜଣ ହେଉଛନ୍ତି ଦୁଇ ଘନିଷ୍ଠ ବାନ୍ଧବୀ। ଉଭୟ ମାଗଣାରେ ସହରର ସମସ୍ତ ମହିଳାଙ୍କୁ ବାଇକ୍ ଚଲାଇବା ତାଲିମ ଦେଉଛନ୍ତି। ସେମାନଙ୍କର ଏଭଳି କରିବା ପଛରେ ଏକମାତ୍ର ଉଦ୍ଦେଶ୍ୟ ହେଉଛି ମହିଳାଙ୍କ ଆତ୍ମବିଶ୍ୱାସ ବଢାଇବା ଓ ସେମାନଙ୍କୁ ସଶକ୍ତ କରିବା। କାରଣ ମହିଳାମାନେ ପ୍ରାୟତଃ ସ୍କୁଟି ଭଳି ଗିୟର ନ ଥିବା ଗାଡି ଚଲାଇଥାନ୍ତି। ଏଥିପାଇଁ ସେମାନେ କାର୍ ଶିଖିବା ସମୟରେ ଅଧିକ ଭୟଭୀତ ହୋଇଥାନ୍ତି। ସେମାନଙ୍କର ଏହି ଅସୁବିଧା ଦୂର କରି ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଉଭୟ ଏଭଳି ଏକ କାମ ହାତକୁ ନେଇଛନ୍ତି। ପ୍ରଥମେ ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଥିଲେ। ତା’ପରେ ବହୁସଂଖ୍ୟାରେ ମହିଳା ବାଇକ୍ ଶିଖିବା ପାଇଁ ଆଗ୍ରହ ଦେଖାଇଥିଲେ। ଏବେ ସମସ୍ତଙ୍କୁ ମାଗଣାରେ ସେମାନେ ଏହି ତାଲିମ ଦେଉଛନ୍ତି। ଝିଅମାନେ ବି ପୁଅମାନଙ୍କ ଭଳି ସବୁ କରିବା ପାଇଁ ସକ୍ଷମ। ଏହି ନାରା ଦେଇ ସେମାନେ ସବୁ ମହିଳାଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି କାମ କରୁଛନ୍ତି।