Categories: HomeHome Left

ଏଇ ଭାରତରେ

କେରଳର ଥାଟେକ୍କଡ ପକ୍ଷୀ ଅଭୟାରଣ୍ୟ ନିକଟରେ ବହିଯାଉଛି ପେରିୟାର ନଦୀ। ୨୦୦୯ରେ ଏହି ନଦୀରେ ଏକ ଡଙ୍ଗାବୁଡ଼ିଯିବା ଯୋଗୁ ୧୫ ଜଣ ପିଲାଙ୍କ ମୃତ୍ୟୁ ଘଟିଥିଲା ଏବଂ ଘଟଣା ଜଣେ ସ୍ଥାନୀୟ ଫର୍ନିଚର ଦୋକାନୀ ସାଜି ଭାଲାସେରୀଙ୍କୁ ପ୍ରଭାବିତ କରିଥିଲା ଏବଂ ସେ ଛୋଟ ପିଲାଙ୍କୁ ମାଗଣାରେ ପହଁରା ଶିଖାଇବା ଆରମ୍ଭ କରିଦେଇଥିଲେ। ସେ ପ୍ରଥମେ ପେରିୟାର ନଦୀରେ ତାଙ୍କର ଏବଂ ତାଙ୍କ ସାଙ୍ଗଙ୍କ ପିଲାଙ୍କୁ ପହଁରା ଶିଖାଇବା ଆରମ୍ଭ କରିଥିଲେ । ପରେ ଆଖପାଖରେ ଥିବା ପିଲାଙ୍କୁ ଏଥିରେ ସାମିଲ କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ନଦୀ ନିକଟରେ ପହଁରା ଶିଖିବା ଲାଗି ପିଲା ଓ ବୟସ୍କମାନେ ଭିଡ଼ ଜମାଇଥିଲେ। ତାଙ୍କର ଛୋଟ ପଦକ୍ଷେପଟି ଏବେ ବଡ଼ ଆକାର ଧାରଣ କରିଛି। ସାଜି ‘ଭାଲେସେରିଲି ରିଭର୍‌ ସୁଇମିଂ କ୍ଲବ୍‌’ଗଠନ କରି ଏବେ ସୁଦ୍ଧା ୧୦,୦୦୦ ଲୋକଙ୍କୁ ପହଁରା ଶିଖାଇସାରିଲେଣି; ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ୨୦୦୦ ପିଲା। ୧୦ ଜଣ ଦିବ୍ୟାଙ୍ଗ ପିଲା ମଧ୍ୟ ପହଁରା ଶିଖି ନଦୀପାର ହେବାକୁ ସକ୍ଷମ ହୋଇପାରିଛନ୍ତି। ମାତ୍ର ୧୬ ଦିନ ମଧ୍ୟରେ ଜଣେ ବ୍ୟକ୍ତି ପହଁରା ଶିଖି ପାଣି ପ୍ରତି ଭୟ ଦୂର କରିବାରେ ସକ୍ଷମ ହେଉଛନ୍ତି ବୋଲି କହନ୍ତି ୬୦ ବର୍ଷୀୟ ସାଜି। ପ୍ରତିଦିନ ସକାଳ ହେଲେ ପେରିୟାର ନଦୀକୂଳରେ ଲୋକଙ୍କ ଭିଡ଼ ଜମୁଛି ଏବଂ ଏହାକୁ ଦେଖି ସାଜିଙ୍କୁ ସହଯୋଗ କରିବାକୁ ଅନେକ ସ୍ବେଚ୍ଛାସେବୀମାନେ କ୍ଲବରେ ଯୋଗଦେଇଛନ୍ତି। ପ୍ରତିବର୍ଷ କ୍ଲବ ମାଧ୍ୟମରେ ସାଜି ୧ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ପହଁରା ଶଖାଉଛନ୍ତି। ବିଶେଷକରି ନଭେମ୍ବରରୁ ମେ ମଧ୍ୟରେ ଏହି ପ୍ରଶିକ୍ଷଣ ଚାଲୁଛି। ଏହାସହ ସେ ମଧ୍ୟ ଏହା ଉପରେ କେରଳର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି।