Categories: HomeHome Left

ଏଇ ଭାରତରେ

ଚିପ୍ସ ଖାଇବାକୁ ପ୍ରାୟ ସବୁ ପିଲା ଭଲପାନ୍ତି। ପିଲାଙ୍କର ଏହି ଦୁର୍ବଳତାକୁ ନେଇ ଅନେକ ସମୟରେ ବିକ୍ରେତାମାନେ ଫାଇଦା ନେବାକୁ ଚେଷ୍ଟା କରନ୍ତି। ବେଳେ ବେଳେ ସେମାନଙ୍କର ଏହି ମନୋଭାବ ପିଲାଙ୍କ ଜୀବନ ମଧ୍ୟ ନେଇଯାଏ। ବିଶ୍ୱାସ ହେଉ ନ ଥିଲେ ବି ଏମିତି ଏକ ଘଟଣା ଘଟିଛି ପଶ୍ଚିମବଙ୍ଗର ମେଦିନାପୁର ଜିଲାର ଗୋସାଇଁବାଡି ଅଞ୍ଚଳରେ। ଚିପ୍ସ ପ୍ୟାକେଟ୍‌ ପାଇଁ ଏଠାରେ ଜଣେ ବାଳକର ଜୀବନ ଯାଇଛି। ଚାରିଦିନ ତଳେ ଏହି ଅଞ୍ଚଳର ୧୩ ବର୍ଷୀୟ ବାଳକ କୃଷ୍ଣେନ୍ଦୁ ଦାସ ରାସ୍ତାରେ ଆସିବାବେଳେ ଦୁଇଟି ଚିପ୍ସ ପ୍ୟାକେଟ୍‌ ପଡିଥିବା ଦେଖି ଉଠାଇ ନେଇ ଆସିଥିଲେ। କିନ୍ତୁ ସେଠାକାର ସ୍ଥାନୀୟ ଦୋକାନୀ ଶୁଭଙ୍କର ଦୀକ୍ଷିତ ତାଙ୍କୁ ଧରି ଚିପ୍ସ ଚୋରି କରିଥିବା କହି ଗାଳି ଦେଇଥିଲେ। ଏହି କଥାକୁ ନେଇ କୃଷ୍ଣେନ୍ଦୁଙ୍କ ପରିବାର ଲୋକଙ୍କ ନିକଟରେ ଅଭିଯୋଗ ବି କରିଥିଲେ। ଫଳରେ ତାଙ୍କ ମା’ ତାଙ୍କୁ ସମସ୍ତଙ୍କ ଆଗରେ ମାଡ଼ ବି ମାରିଥିଲେ। ଏସବୁ ପରେ ଦୋକାନୀ ଜଣକ କାନ ଧରି ରାସ୍ତା ଉପରେ ସମସ୍ତଙ୍କ ଆଗରେ ଭୁଲ୍‌ ମାଗିବା ପାଇଁ ବାଧ୍ୟ କରିଥିଲେ। ଚୋରି କରି ନ ଥିବାରୁ ଅପମାନ ସହି ପାରି ନ ଥିଲେ କୃଷ୍ଣେନ୍ଦୁ। ଘରକୁ ଆସି ବିଷ ପିଇଦେଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି ଓ ସେ ଚିପ୍ସ ଚୋରି କରି ନ ଥିବା ମୃତ୍ୟୁ ପୂର୍ବରୁ କହିଥିଲେ।