ଏଇ ଭାରତରେ

ମକା ଖାଇଲା ବେଳେ ତାହାକୁ ବାନ୍ଧି ରଖିଥିବା ତନ୍ତୁଜାତୀୟ ଖୋଳକୁ ବର୍ଜ୍ୟ ମନେକରି ବାହାରେ ଫିଙ୍ଗି ଦିଆଯାଏ। ସମସ୍ତେ ଭାବନ୍ତି, ଏସବୁ ଅଦରକାରୀ ଜିନିଷ। କିନ୍ତୁ ବିହାର ମୁଜାଫରପୁରର ନାଜ୍‌ ଓଜେର ଏହି ବର୍ଜ୍ୟରୁ ଚକୋଲେଟ ଖୋଳ, ଚା କପ୍‌, ପାଉଚ, ପ୍ଲେଟ, ବ୍ୟାଗ ଓ ବ୍ୟାନର ଆଦି ଜିନିଷ ତିଆରି କରୁଛନ୍ତି। ନାଜ୍‌ଙ୍କ ପୁତୁରାଙ୍କର ୭ ବର୍ଷ ତଳେ କ୍ୟାନ୍‌ସରରେ ମୃତ୍ୟୁ ଘଟିଥିଲା। କ୍ୟାନ୍‌ସର ପଛରେ ପ୍ଲାଷ୍ଟିକ କଣିକା ଦାୟୀ ବୋଲି ସେ ବିଚାର କରି ତାହାର ସମାଧାନର ବାଟ ଖୋଜିଥିଲେ। ନାଜ୍‌ ଜଣେ ଏମ୍‌.ଟେକ୍‌ ଟିଚର ଥିଲେ। ତାହାକୁ ଛାଡ଼ି ଏହିସବୁ ଜିନିଷ ତିଆରି କରିବା ଲାଗି ଗବେଷଣା ଆରମ୍ଭ କରିଥିଲେ। ସେ ୧୦ ପ୍ରକାରରୁ ଅଧିକ ଜିନିଷ ମକା ବର୍ଜ୍ୟରୁ ତିଆରି କରୁଛନ୍ତି। ଦିନକୁ ଏଥିରୁ ୧୦୦୦ଟିରୁ ଅଧିକ ବିକ୍ରି କରୁଛନ୍ତି। ଏହି ସବୁ ଜିନିଷ ମଜଭୁତ ଏବଂ ସହଜରେ ମାଟିରେ ମିଶି ଯାଉଛି। ଏହି ସବୁ ଉତ୍ପାଦକୁ ଆଇଆଇଟି ପାଟ୍‌ନା ସ୍ବୀକୃତି ପ୍ରଦାନ କରିଛି।