Categories: ଜାତୀୟ

ଭାରତରେ ପ୍ରତି ୫ ଜଣରୁ ୩ କ୍ୟାନ୍‌ସର ରୋଗୀଙ୍କ ହେଉଛି ମୃତ୍ୟୁ, ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ସଂଖ୍ୟା ଅଧିକ

ନୂଆଦିଲ୍ଲୀ,୨୫।୨(ପି.ଟି.): ଭାରତରେ କ୍ୟାନ୍‌ସର ରୋଗରେ ଆକ୍ରାନ୍ତ ହେଉଥିବା ପ୍ରତି ୫ ଜଣ ରୋଗୀଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହେଉଛି। ଦେଶରେ କ୍ୟାନ୍‌ସରଜନିତ ମୃତ୍ୟୁ ସଂଖ୍ୟାରେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ସଂଖ୍ୟା ଅଧିକ ବୋଲି ସୋମବାର ‘ଦି ଲାନ୍‌ସେଣ୍ଟ ରିଜିଓନାଲ ହେଲ୍‌ଥ ସାଉଥ୍‌ ଇଷ୍ଟ ଏସିଆ’ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ କୁହାଯାଇଛି। ବିଶ୍ୱବ୍ୟାପୀ କ୍ୟାନ୍‌ସର ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ କେବଳ ୧୦%ରୁ ଅଧିକ ଘଟଣା ଭାରତରୁ ଆସୁଥିବା ଏହି ରିପୋର୍ଟ କହିଛି। କ୍ୟାନ୍‌ସର ମୃତ୍ୟୁରେ ଭାରତ ଚାଇନା ପରେ ସମଗ୍ର ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି। ଏହି ରିପୋର୍ଟ ଅନୁଯାୟୀ, ଆମେରିକାରେ ପ୍ରତି ୪ କ୍ୟାନ୍‌ସର ରୋଗୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହେଉଥିବାବେଳେ ଚାଇନାରେ ପ୍ରତି ୨ କ୍ୟାନ୍‌ସର ରୋଗୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହେଉଛି।

‘ଗ୍ଲୋବାଲ କ୍ୟାନ୍‌ସର ଅବଜର୍‌ଭେଟୋରି (ଗ୍ଲୋବୋକାନ୍‌) ୨୦୨୨’ ଏବଂ ‘ଗ୍ଲୋବାଲ ହେଲ୍‌ଥ ଅବଜର୍‌ଭେଟୋରି (ଜିଏଚ୍‌ଓ)’ର ଡେଟାବେସ୍‌କୁ ବ୍ୟବହାର କରି ଗତ ୨୦ ବର୍ଷ ମଧ୍ୟରେ ଭାରତର ବିଭିନ୍ନ ବୟସ ବର୍ଗ ଏବଂ ଲିଙ୍ଗ ମଧ୍ୟରେ ୩୬ ପ୍ରକାରର କ୍ୟାନ୍‌ସରକୁ ଅନୁସନ୍ଧାନ କରି ଏହି ଅଧ୍ୟୟନକୁ ପ୍ରସ୍ତୁତ କରାଯାଇଛି। ଉଭୟ ପୁରୁଷ ଏବଂ ମହିଳାଙ୍କଠାରେ ସର୍ବାଧିକ ଦେଖାଦେଉଥିବା ୫ ସାଧାରଣ କ୍ୟାନ୍‌ସର, ଭାରତର ବାର୍ଷିକ କ୍ୟାନ୍‌ସର ମାମଲାର କେବଳ ୪୪% ବହନ କରୁଥିବା ଏହି ଅଧ୍ୟୟନ କହିଛି।
ଭାରତରେ କ୍ୟାନ୍‌ସର ରୋଗରେ ମହିଳାମାନେ ବେଶି ପ୍ରଭାବିତ ହେଉଛନ୍ତି। ଦେଶରେ ସମୁଦାୟ କ୍ୟାନ୍‌ସର ମାମଲାରୁ ୧୩.୮% ସ୍ତନ କର୍କଟ ମାମଲା ହୋଇଥିବା ବେଳେ ୯.୨% ମାମଲା ସର୍ଭାଇକାଲ କ୍ୟାନ୍‌ସର (ଗର୍ଭାଶୟ କର୍କଟ ରୋଗ) ରହିଛି।

ଭାରତରେ ମହିଳାଙ୍କଠାରେ ଦେଖାଯାଉଥିବା କ୍ୟାନ୍‌ସର ମଧ୍ୟରୁ ସର୍ବାଧିକ ୩୦% ସ୍ତନ କର୍କଟ ହୋଇଥିବାବେଳେ ୧୯% ଗର୍ଭାଶୟ କର୍କଟ ହୋଇଥିବା ଏହି ଅଧ୍ୟୟନ କହିଛି। ପୁରୁଷଙ୍କଠାରେ ହେଉଥିବା କର୍କଟ ରୋଗରେ ସର୍ବାଧିକ ୧୬% ମୁଖ ଗହ୍ବର କର୍କଟ ମାମଲା ରହିଛି। ସେହିପରି ଭାରତରେ କ୍ୟାନ୍‌ସରଜନିତ ମୃତ୍ୟୁର ଏକ ବଡ଼ ଭାଗ ୭୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କଠାରେ ଦେଖାଦେଉଥିବାବେଳେ ସମୁଦାୟ କ୍ୟାନ୍‌ସର ମୃତ୍ୟୁର ୨୦% ମାମଲା ୧୫ରୁ ୪୯ ବର୍ଷ ବୟସ୍କଙ୍କ ମଧ୍ୟରେ ଘଟୁଥିବା ଏହି ଅଧ୍ୟୟନ କହିଛି। ଆଗାମୀ ୨ ଦଶନ୍ଧିରେ କ୍ୟାନ୍‌ସର ସମ୍ବନ୍ଧିତ ମୃତ୍ୟୁ ପରିଚାଳନାରେ ଭାରତକୁ ଏକ କଠିନ ଆହ୍ବାନକୁ ସାମ୍‌ନା କରିବାକୁ ପଡ଼ିପାରେ। ଜନସଂଖ୍ୟାର ବୟସ ବଢ଼ିବା ସହ ବାର୍ଷିକ ୨% ହାରରେ ଭାରତରେ କ୍ୟାନ୍‌ସର ମାମଲାରେ ବୃଦ୍ଧି ଘଟିବ ବୋଲି ଏହି ଅଧ୍ୟୟନରେ କୁହାଯାଇଛି। ପ୍ରକାଶ ଯେ, ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌)ର ତଥ୍ୟ ଅନୁଯାୟୀ, କ୍ୟାନ୍‌ସରର ସର୍ବାଧିକ ମାମଲା ଥିବା ବିଶ୍ୱର ତୃତୀୟ ଦେଶ ହେଉଛି ଭାରତ। ଏହି ତାଲିକା ଅନୁଯାୟୀ, ଭାରତ ଉପରେ ଆମେରିକା ଓ ଚାଇନା ରହିଛି।

Share