କୋଭିଡ୍ ମହାମାରୀ ସମୟରେ ଅନ୍ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି ଅସନ୍ତୁଳିତ ହେବା ଦେଖାଯାଉଛି, ଯାହା ମାତାପିତାଙ୍କ ପାଇଁ ସମସ୍ୟା ପାଲଟି ଗଲାଣି। ଅନେକ ଘଣ୍ଟା ମୋବାଇଲ ଦେଖିବାରେ ବିତାଇବା ଯୋଗୁ ପିଲାମାନେ ଖେଳ ଓ ପାଠରୁ ଦୂରେଇ ଯାଉଛନ୍ତି। ତେବେ ଏଭଳି ସମସ୍ୟା ଦୂର କରିବା ସକାଶେ ଚେଷ୍ଟା ଜାରି ରଖିଛନ୍ତି କେରଳ ପଥାନମିଥିତାର ଜିଲାପାଳ ପ୍ରେମ୍ କ୍ରିଷ୍ଣ। ପ୍ରେମ୍ ତ୍ରିଭେନ୍ଦ୍ରମ୍ କଲେଜ ଅଫ୍ ଇଞ୍ଜିନିୟରିଂରୁ ଡିଗ୍ରୀ ହାସଲ କରି ଇନ୍ଫୋସିସ୍ ଓ ବିଏସ୍ଏନ୍ଏଲ୍ରେ କାର୍ଯ୍ୟ କରଥିଲେ। ପରେ ସେ ସିଭିଲ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଜିଲାପାଳ ଭାବେ ଯୋଗ ଦେଇଛନ୍ତି। ସେ ମୋବାଇଲ ମୋହରୁ ପିଲାମାନଙ୍କୁ ଦୂରେଇ ରଖିବା ପାଇଁ ‘ସ୍ବାପ୍ ୟୋର ସ୍କ୍ରିନ୍ ଫର୍ ଏ ସ୍ପୋଟର୍ସ’ ଅଭିଯାନ ଚଳାଇଛନ୍ତି। ଏହା ମାଧ୍ୟମରେ ସେ ପିଲାମାନଙ୍କୁ ଖେଳପଡ଼ିଆକୁ ଆଣିପାରିଛନ୍ତି। ପିଲାମାନଙ୍କ ପାଇଁ ଫୁଟ୍ବଲ, କ୍ରିକେଟ୍ ସହ ଅନ୍ୟାନ୍ୟ ଦଳଗତ ଖେଳ ରଖାଯାଇଛି।