ଏଇ ଭାରତରେ

ଗର୍ଭଧାରଣ ସମୟରେ ପୁଷ୍ଟିକର ଖାଦ୍ୟ ଅଭାବରୁ ଭାରତର ବିଭିନ୍ନ ଅଞ୍ଚଳରେ ନବଜାତକଙ୍କ ଓଜନ କମ୍‌ ରହୁଥିବା ଦେଖାଯାଉଛି। ବିଶେଷକରି ଏହି ସମସ୍ୟା ଆଦିବାସୀ ଅଞ୍ଚଳରେ ଅଧିକ। ତେବେ ଏହାର ସମାଧାନ ପାଇଁ ଛତିଶଗଡ଼ କୋରେଆ ଜିଲାର ଜିଲାପାଳ ଚନ୍ଦନ ରଞ୍ଜନ ତ୍ରିପାଠୀ ଏକ ଭିନ୍ନ ପଦକ୍ଷେପ ନେଇଛନ୍ତି। ଗର୍ଭଧାରଣ ସମୟରେ ପୁଷ୍ଟିହୀନତା ଦୂର କରିବା ସକାଶେ ସେ ଲଡ଼ୁ ଯୋଜନା ଚଳାଇଛନ୍ତି। ଏଥିରେ ଗର୍ଭବତୀଙ୍କୁ ପୁଷ୍ଟିକର ଲଡ଼ୁ ଖାଇବାକୁ ଦିଆଯାଉଛି। ଫେବୃଆରୀ ୨୦୨୫ରେ ଜିଲାପାଳ ‘କୋରେଆ ମୋଡାକ ଲଡ଼ୁ’ ଯୋଜାନା ଆରମ୍ଭ କରିଥିଲେ। ଅଟା, ଗୁଡ଼, ରାଶି, ବାର୍ଲି ଓ ଘିଅରେ ଲଡ଼ୁ କରାଯାଉଛି। ଲଡ଼ୁ ଯୋଜନାକୁ ସଞ୍ଚାଳନ କରିବା ସକାଶେ ଜିଲାପାଳ ଏକ ଟିମ୍‌ ଗଠନ କରିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଟିମ୍‌ ଗର୍ଭବତୀଙ୍କ ପାଖରେ ପହଞ୍ଚତ୍ ଏହି ଲଡ଼ୁ ଖାଇବାକୁ କହିବାରୁ ସେମାନେ ଗ୍ରହଣ କରୁ ନ ଥିଲେ। କିନ୍ତୁ ପରେ ପରିବାରକୁ ଏହାର ଆବଶ୍ୟକତା ସମ୍ପର୍କରେ ବୁଝାଇବା ପରେ ସଫଳତା ମିଳିପାରିଛି। ପ୍ରତିଦିନ ଜଣେ ଗର୍ଭବତୀଙ୍କୁ ଦୁଇଟି ଲଡ଼ୁ (ପ୍ରତ୍ୟେକଟିର ଓଜନ ୨୦ଗ୍ରାମ) ଖାଇବାକୁ ଦିଆଯାଉଛି। ଅଙ୍ଗନଓ୍ବାଡିକେନ୍ଦ୍ର, ପିଏଚ୍‌ସି ଏବଂ ଆଶାକର୍ମୀଙ୍କ ମାଧ୍ୟମରେ ଲଡ଼ୁ ବଣ୍ଟାଯାଉଛି। ସ୍ଥାନୀୟ ଅଞ୍ଚଳର ସ୍ବୟଂ ସହାୟକ ଗୋଷ୍ଠୀ ଲଡ଼ୁ ତିଆରିରେ ସହଯୋଗ କରୁଛନ୍ତି। ଗର୍ଭବତୀମାନେ ଏହି ଲଡ଼ୁ ଖାଇବା ପରେ ନବଜାତକଙ୍କ ଓଜନ ଠିକ୍‌ ରହୁଥିବା ଜିଲାପ୍ରଶାସନ ପକ୍ଷରୁ କୁହାଯାଇଛି।

 

Dharitri – The Largest & Most Trusted Odia Daily