ଏଇ ଭାରତରେ

ବର୍ଷର ସବୁ ସମୟରେ ଏବେ ପଣସର ସ୍ବାଦ ପାଇପାରିବେ। କେରଳର ରାନି ସୁନିଙ୍କ ଦ୍ୱାରା ପଣସରୁ ପ୍ରସ୍ତୁତ ବିଭିନ୍ନ ଉତ୍ପାଦ ଆପଣଙ୍କର ଏହି ଆଶା ପୂରଣ କରିପାରିବ। ରାନିଙ୍କୁ ବୟସ ଏବେ ୫୭। ସେ ରହୁଛନ୍ତି ଇଡ଼ୁକିରେ। ସେ ପାଖାପାଖି ୫ ଏକରରେ ପଣସ ଗଛ ଲଗାଇଛନ୍ତି। ସେହି ଗଛଗୁଡ଼ିକରେ ପଣସ ପାଚିବା ପରେ ତାହାକୁ ସଂଗ୍ରହ କରି ବଜାରରେ ବିକ୍ରି କରିଦେବା ବଦଳରେ ସେଥିରୁ ଶୁଖିଲା ପଣସ ଗୁଣ୍ଡ, ପଣସ ସସ୍‌ ଓ ପଣସ ମଞ୍ଜିଗୁଣ୍ଡ ଇତ୍ୟାଦି ପ୍ରସ୍ତୁତ କରି ବଜାରରେ ବିକ୍ରି କରୁଛନ୍ତି। ସେଥିରୁ ସେ ବର୍ଷକୁ ୮ ଲକ୍ଷ ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି। ଉତ୍ପାଦଗୁଡ଼ିକୁ ‘ଏଡେନ ଜ୍ୟାକଫ୍ରୁଟ ପ୍ରଡକ୍ଟ’ ବ୍ରାଣ୍ଡ୍‌ରେ ବିକ୍ରି କରାଯାଉଛି। ଜଣେ ଗୃହିଣୀ ଭାବେ ଏଭଳି ଏକ ନିଆରା ବିଜ୍‌ନେସ୍‌ ଆରମ୍ଭ କରି ସଫଳ ହେବା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛି। ସେ ପ୍ରତିଦିନ ଘର କାମ ଶେଷ କରିବା ପରେ ଅବଶିଷ୍ଟ ସମୟ ବିଜ୍‌ନେସ୍‌ ପାଇଁ ଦେଉଛନ୍ତି। ରାନିଙ୍କ ବ୍ୟବସାୟିକ ଯାତ୍ରା ସଂଘର୍ଷମୟ ଥିଲା। ସେ ପ୍ରଥମେ ଏକ ଛୋଟ ରୁମ୍‌ରେ ବିଜ୍‌ନେସ୍‌ ଆରମ୍ଭ କରି ତାହାକୁ ନେଇପାରିଛନ୍ତି। ଏବେ ନିଜ ବଗିଚାରୁ ସଂଗୃହୀତ ପଣସ ବ୍ୟତୀତ ଅନ୍ୟ ୨୦ଟି ପରିବାରଠାରୁ ପଣସ ସଂଗ୍ରହ କରି ଅଧିକ ଉତ୍ପାଦ ପ୍ରସ୍ତୁତ କରୁଛନ୍ତି। ପଣସ ସଂଗ୍ରହ କରିବାଠାରୁ ଆରମ୍ଭ କରି ଉତ୍ପାଦ ପ୍ରସ୍ତୁତି କରିବା କାର୍ଯ୍ୟରେ ସେ ୧୦ଜଣ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି।

Dharitri – Odisha’s No.1 Odia Daily