ଭାରତର ବିଭିନ୍ନ ସ୍ଥାନରେ ଜଳାଶୟର ସୁରକ୍ଷା କରା ନ ଯିବା ଏବଂ ଜଳଉତ୍ସଗୁଡ଼ିକୁ ପ୍ରଦୂଷିତ କରିବା ଯୋଗୁ ପାନୀୟ ଜଳାଭାବ ସମସ୍ୟା ସୃଷ୍ଟି ହେଉଛି। ଏଭଳି ସମସ୍ୟା ଦେଖାଯାଇଥିଲା ତାମିଲନାଡୁର କୋଏମ୍ବାଟୁରରେ। ସେଠାକାର କୂଅ ସବୁ ଶୁଖିଯିବା ସହ ହ୍ରଦ ଓ ଅନ୍ୟସବୁ ଜଳଉତ୍ସଗୁଡ଼ିକର ଜଳଧାରଣ କ୍ଷମତା ହ୍ରାସ ପାଇବା ଏବଂ ପ୍ରଦୂଷଣ ବୃଦ୍ଧି ହେତୁ ଜଳ ବ୍ୟବହାରଯୋଗ୍ୟ ହୋଇପାରୁ ନ ଥିଲା। ଏହାକୁ ଲକ୍ଷ୍ୟ କରି ମଣିକନ୍ଦନ ଆର୍ ସେଠାକାର ହ୍ରଦ ଓ କେନାଲର ପୁନରୁଦ୍ଧାର ପାଇଁ ଆଗକୁ ଆସିଥିଲେ। ଅଧାରୁ ସ୍କୁଲ ଶିକ୍ଷା ଛାଡ଼ି ଦେଇଥିବା ମଣିକନ୍ଦନ କୋଭାଇ କୁଲାଙ୍ଗାଲ ଆମାଇପୁ ନାମକ ନାଗରିକ ଅଭିଯାନ ଆରମ୍ଭ କରି ଏବେ ସେ କୋଏମ୍ବାଟୁର ସମେତ ସାରା ଭାରତରେ ୧୫ଟି ହ୍ରଦର ପୁନରୁଦ୍ଧାର କରିସାରିଲେଣି। କୋଏମ୍ବାଟୁରରେ ୨୦କି.ମି. କେନାଲରୁ ପ୍ରଦୂଷଣ ହଟାଇ ପାରିଛନ୍ତି। ମୋଟରେ ସେ ୨୦୦ ଟନ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ କରିଛନ୍ତି। ପୁନରୁଦ୍ଧାର ପରେ ହ୍ରଦ, କେନାଲ ଓ ଅନ୍ୟ ଜଳଉତ୍ସଗୁଡ଼ିକର ସୁରକ୍ଷା ମଧ୍ୟ କରୁଛନ୍ତି। ଏହି କାର୍ଯ୍ୟରେ ସେ ଏବେ ୩୩,୦୦୦ ସ୍ବେଚ୍ଛାସେବୀଙ୍କୁ ଯୋଡ଼ିପାରିଛନ୍ତି। କେନାଲ ଓ ହ୍ରଦ କଡ଼ରେ ସେ ୫୦,୦୦୦ ଗଛ ଲଗାଇଛନ୍ତି।