ଆଜକୁ ୧୬ ବର୍ଷ ପୂର୍ବେ ଜଣେ ଅଟୋ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଚାଲାଣ ହେଉଥିବା ଜଣେ ଶିଶୁକୁ ଉଦ୍ଧାର କରାଯାଇଥିଲା। ଏହି ଘଟଣା ଘଟିଥିଲା ତାମିଲନାଡୁ ତିରୁଚିରେ ଓ ସେହି ଅଟୋଚାଳକ ଜଣକ ହେଉଛନ୍ତି ଡି.ଜୋଶେଫ। କିନ୍ତୁ ଏହା କେବଳ ଏକ ଖବରରେ ସୀମିତ ରହି ନ ଥିଲା, ବରଂ ତାମିଲନାଡୁ ସରକାରଙ୍କୁ ଶିଶୁ ଚାଲାଣ ରୋକିବା ଲାଗି ସକ୍ରିୟ ପଦକ୍ଷେପ ନେବାକୁ ବାଧ୍ୟ କରିଥିଲା ଏବଂ ସେବେଠାରୁ ଅନେକ ଶହ ଶିଶୁଙ୍କୁ ଉଦ୍ଧାର କରାଯାଇପାରିଛି। ଘଟଣାଟି ଥିଲା ଏହିପରି- ଜଣେ ମହିଳା ଓ ତାଙ୍କ ସହ ଥିବା ଶିଶୁଙ୍କୁ ବସ୍ଷ୍ଟାଣ୍ଡରେ ଛାଡ଼ିବା ଲାଗି ନେଉଥିବାବେଳେ ଜୋଶେଫଙ୍କ ସନ୍ଦେହ ହେବାରୁ ସେ ପୋଲିସ ଆଉଟପୋଷ୍ଟରେ ଜଣାଇଥିଲେ। ପରେ ଠିକ୍ ଏହି ସମୟରେ ଜଣେ ମହିଳା ମଧ୍ୟ ସେଠାରେ ତାଙ୍କ ନିଖୋଜ ପିଲା ସମ୍ପର୍କରେ ଜଣାଇବାକୁ ଆସିଥିଲେ। ସଂଯୋଗ ଏମିତି ଥିଲା, ଯେଉଁଥିରେ ପୋଲିସ ପିଲାଟିକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ଏହି ଘଟଣାରେ ସେହି ପିଲା ଚାଲାଣରେ ଜଡ଼ିତ ମହିଳାଙ୍କ ସୂଚନାକୁ ଆଧାର କରି ୧୨ ଜଣ ଶିଶୁଙ୍କୁ ସେତେବେଳେ ଉଦ୍ଧାର କରାଯାଇଥିଲା।