ଦିଗପହଣ୍ଡି,୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରେ ସ୍ବାମୀଙ୍କ ଅନୁପସ୍ଥିତିରେ ଜଣେ ଅଙ୍ଗନୱାଡ଼ି କର୍ମୀଙ୍କୁ ଗ୍ରାମର ସନ୍ତୋଷ କୁମାର ବିଷୋୟୀ ଅସଦାଚରଣ କରିବା ସହ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ଅଙ୍ଗନୱାଡ଼ି କର୍ମୀଙ୍କ ଏତଲା କ୍ରମେ ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସ୍ପି ପ୍ରଶାନ୍ତ କୁମାର ପାତ୍ର ମାମଲା ନଂ.୨୬୭/୨୫ ରୁଜୁ କରି ତଦନ୍ତ ଚଳାଇଛନ୍ତି।
ଅଭିଯୋଗ ମୁତାବକ, ଗତ ବୁଧବାର ସନ୍ତୋଷ ହାତରେ ଏକ କଟୁରୀ ଧରି ଅଙ୍ଗନୱାଡ଼ି କର୍ମୀଙ୍କ ଘରର ଗ୍ରିଲ୍କୁ ବାଡାଇବା ସହ ତାଙ୍କୁ ଆପତ୍ତି ଜନକ ମନ୍ତବ୍ୟ ଦେଇଥିଲେ। ଏପରିକି ଘର ଆଗରେ ଉଲଗ୍ନ ହୋଇ ଅସଭ୍ୟ ଭାଷାରେ ଗାଳି ମଧ୍ୟ କରିଥିଲେ।ସେ ପ୍ରତିବାଦ କରିବାରୁ ତାଙ୍କୁ ଟଣାଓଟରା କରିଥିଲେ। ପରେ ତାଙ୍କୁ ଏବଂ ତାଙ୍କ ପୁଅଙ୍କୁ ହତ୍ୟା ଧମକ ଦେଇଥିବା ଏତଲାରେ ଉଲ୍ଲେଖ ରହିଛି। ଅଙ୍ଗନୱାଡ଼ି କେନ୍ଦ୍ରକୁ ଯିବା ବେଳେ ସନ୍ତୋଷ ସଦା ସର୍ବଦା ତାଙ୍କୁ ଅଶ୍ଳିଳ ମନ୍ତବ୍ୟ ଦେବା ସହ ଦିନେ ନା ଦିନେ ଘରେ ପଶି ତାଙ୍କୁ ବଳାତ୍କାର କରିବାକୁ ଧମକ ଦେଇଥିବା ଅଙ୍ଗନୱାଡ଼ି କର୍ମୀ ଜଣକ ପୋଲିସକୁ କହିଛନ୍ତି।