କିଛି ବର୍ଷ ମଧ୍ୟରେ ଉତ୍ତରମେରୁ ହେବ ବରଫ ଶୂନ୍ୟ: ମିଶନ ଆଇସ୍‌ବ୍ରେକର ରିପୋର୍ଟ

ଓ୍ବାଶିଂଟନ, ୧୩।୧୦: ପୃଥିବୀର ଉତ୍ତରମେରୁ ଆସନ୍ତା କିଛି ବର୍ଷ ମଧ୍ୟରେ ବରଫ ଶୂନ୍ୟ ହେବ। ଖରାଦିନେ ଏଠାରେ ଆଉ ବରଫର ଆବରଣ ରହିବ ନାହିଁ। ମିଶନ ଆଇସ୍‌ବ୍ରେକର ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା ଉଲ୍ଲେଖ ରହିଛି। ଉତ୍ତରମେରୁରେ ଅନ୍ତର୍ଜାତୀୟସ୍ତରରେ ବୈଜ୍ଞାନିକମାନଙ୍କ ଦ୍ୱାରା ଗଠିତ ଏହି ମିଶନ ପକ୍ଷରୁ ମିଳିତ ଭାବେ ଗବେଷଣା କରାଯାଉଥିଲା। ଏବେ ବୈଜ୍ଞାନିକ ଦଳ ଉତ୍ତରମେରୁରୁ ଫେରି ଆସିଛନ୍ତି। ବୈଜ୍ଞନିକଙ୍କୁ ନେଇ ଆର.ଭି. ପୋଲାରଷ୍ଟ୍ରେର୍ନ ଜାହାଜ ବ୍ରେମେରହାଭେନ୍‌ରେ ପହଞ୍ଚିଛି। ବୈଜ୍ଞାନିକମାନେ ଏକ ବର୍ଷ ଧରି ଉତ୍ତରମେରୁରେ ଗବେଷଣା କରୁଥିଲେ। ଜଳବାୟୁ ପରିବର୍ତ୍ତନ କିଭଳି ମେରୁର ପରିବେଶକୁ ପ୍ରଭାବିତ କରୁଛି ତାହା ସେମାନେ ଅଧ୍ୟୟନ କରିଛନ୍ତି। ଏଠାରେ ବରଫର ଅଭାବ ଯୋଗୁ ମେରୁ ଭାଲୁ ଜନବସତି ମୁହାଁ ହେଉଥିବା ବୈଜ୍ଞାନିକମାନେ କହିଛନ୍ତି। ଏଭଳି ସ୍ଥିତି ମେରୁ ଅଞ୍ଚଳରେ ଏକ ଆହ୍ବାନ ସୃଷ୍ଟି କରିଥିବା ସେମାନେ ପ୍ରକାଶ କରିଛନ୍ତି। ମଣିଷ ଏବଂ ମେରୁ ଭାଲୁ ମଧ୍ୟରେ ମୁହାଁମୁହିଁ ସ୍ଥିତି ଦେଖା ଦେଇଥିବା ବୈଜ୍ଞାନିକ ଦଳର ନେତୃତ୍ୱ ନେଉଥିବା ମ୍ୟାକ୍ସ୍‌ ରେକ୍ସ୍‌ କହିଛନ୍ତି। ବୈଜ୍ଞାନିକ ଦଳ ପରୀକ୍ଷା ନିରୀକ୍ଷା ପାଇଁ ଉତ୍ତରମେରୁ ବହୁ ନମୁନା ସଂଗ୍ରହ କରିଥିବା ରେକ୍ସ୍‌ ସୂଚନା ଦେଇଛନ୍ତି।