ଭିତ୍ତିଭୂମି ସୁଦୃଢ଼କୁ ଟିପିସିଓଡିଏଲ୍‌ର ଗୁରୁତ୍ୱ

ଭୁବନେଶ୍ୱର,୧୯।୨: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଭୁବନେଶ୍ୱରର ଖଣ୍ଡଗିରିଠାରେ ଏକ ଅତ୍ୟାଧୁନିକ ବିଦ୍ୟୁତ୍‌ ଟ୍ରାନ୍ସଫରମର ସ୍ଥାପନ କରାଯାଇଛି। ଏପରିକି ଖଣ୍ଡଗିରିଠାରେ ଥିବା ୮ଏମ୍‌ଭିଏ ପୁରୁଣା ଟ୍ରାନ୍ସଫରମର୍‌କୁ ବଦଳାଇ ଏକ ଅତ୍ୟାଧୁନିକ ୨୫ଏମ୍‌ଭିଏ ଟ୍ରାନ୍ସଫରମର ଜରିଆରେ ଉପରୋକ୍ତ ଅଞ୍ଚଳ ବିଦ୍ୟୁତ୍‌ ଭିତ୍ତିଭୂମିରେ ସୁଦୃଢ଼ କରାଯାଇଛି। ବିଶେଷକରି ଆଗାମୀ ଦିନରେ ଖଣ୍ଡଗିରି ଅଞ୍ଚଳର ବର୍ଦ୍ଧିତ ଶକ୍ତି ଚାହିଦା ପୂରଣ ସହ ଭରସାଯୋଗ୍ୟ ବିଦ୍ୟୁତ୍‌ ଯୋଗାଣ କରିବା ଲାଗି କମ୍ପାନୀ ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ ଆରମ୍ଭ କରିଛି।

ସେହିଭଳି ସହରାଞ୍ଚଳରେ ବର୍ଷକୁ ବର୍ଷ ଲୋଡ୍‌ରେ ହେଉଥିବା ବୃଦ୍ଧି ଚାହିଦା ପୂରଣ କରିବା ପାଇଁ ପୂର୍ବରୁ ଥିବା ପିଏସ୍‌ଏସ୍‌ରେ ବିଦ୍ୟୁତ୍‌ ଟ୍ରାନ୍ସଫରମର ସହ ସୁଇଚ୍‌ ଗିୟରର ଦକ୍ଷତା ବୃଦ୍ଧି କରିବା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଆରମ୍ଭ ହୋଇଛି। ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ ଲୋଡ୍‌ରେ ହେବାକୁ ଥିବା ବୃଦ୍ଧିକୁ ଦୃଷ୍ଟିରେ ରଖି ଦକ୍ଷତାରେ ଏହି ଉନ୍ନତି ଅଣାଯାଇଛି। ସେହିପରି କମ୍ପାନୀର ଡିସ୍‌କମ୍‌ଗୁଡ଼ିକ ମଧ୍ୟରେ ପ୍ରଥମ ଏହି ରୂପାନ୍ତରିତ ବିଦ୍ୟୁତ୍‌ ସବ୍‌ଷ୍ଟେଶନ (ପିଏସ୍‌ଏସ୍‌) ଏକ ବଡ଼ ସଫଳତା ଭାବେ ଉଭା ହୋଇଛି, ଯାହା ଭୋଲ୍‌ଟେଜ୍‌ ନିୟନ୍ତ୍ରଣ ଓ ସୁରକ୍ଷା ପଦକ୍ଷେପରେ ଉନ୍ନତ ପ୍ରଯୁକ୍ତିର ସମନ୍ବୟକୁ ଦର୍ଶାଉଛି।

ଏ ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଅରବିନ୍ଦ ସିଂହ କହିଛନ୍ତି, ଏହି ଗୁରୁତ୍ୱପୂର୍ଣ୍ଣ ଅଭିଯାନକୁ କାର୍ଯ୍ୟକାରୀ କରିଥିବାରୁ ଆମେ ବେଶ୍‌ ଉତ୍ସାହିତ ଅଛୁ। ବିଶେଷକରି ଏହା ଖଣ୍ଡଗିରି ଅଞ୍ଚଳ ବିଦ୍ୟୁତ୍‌ ସେବାରେ ଉନ୍ନତି ଆଣିବା ପାଇଁ ଥିବା ଆମର ସମର୍ପଣ ଭାବକୁ ଦର୍ଶାଉଛି। ଏହି ଉନ୍ନତି ସହ ଆମେ ବର୍ତ୍ତମାନର ଚାହିଦାକୁ ପୂରଣ କରୁଥିବା ବେଳେ ଭବିଷ୍ୟତରେ ସମ୍ପୃକ୍ତ ଅଞ୍ଚଳର ଅଭିବୃଦ୍ଧି ଓ ବିକାଶ ପାଇଁ ମଧ୍ୟ ପ୍ରସ୍ତୁତ ହୋଇଛୁ।

Share
Tags: TPCODL