LAKE SUCCESS, NY - MARCH 11: A lab technician begins semi-automated testing for COVID-19 at Northwell Health Labs on March 11, 2020 in Lake Success, New York. An emergency use authorization by the FDA allows Northwell to move from manual testing to semi-automated. (Photo by Andrew Theodorakis/Getty Images)
କଟକ ଅଫିସ,୨୪।୮: କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ସେଥିଲାଗି ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଟେଷ୍ଟିଂକୁ ଗୁରୁତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ ଜିଲାରେ ଆର୍ଟି-ପିସିଆର ଓ ଆଣ୍ଟିଜେନ୍ ଟେଷ୍ଟରେ ୬୯ ହଜାର ୨୧୭ ନମୁନା ପରୀକ୍ଷା କରାଯାଇଛି। ସେଥିରୁ ୫,୧୭୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗ୍ରାମାଞ୍ଚଳରେ ପଜିଟିଭ୍ ସଂଖ୍ୟା ୧,୯୫୭ ଥିବାବେଳେ ସହରାଞ୍ଚଳରେ ଏହା ୩,୨୧୭ ରହିଛି। କଟକ ଜିଲାପାଳ ଓ କଟମ ମହାନଗର ନିଗମ କମିଶନର ରବିବାର ଏହି ସୂଚନା ଦେଇଛନ୍ତି।
କମିଶନର ଅନନ୍ୟା ଦାସ କହିଛନ୍ତି, ସହରର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର ସମେତ ମାଲଗୋଦାମ ଓ ଛତ୍ରବଜାର ବ୍ୟବସାୟ ପେଣ୍ଠଗୁଡ଼ିକ ପରି ଅଧିକ ସମ୍ବେଦନଶୀଳ ଅଞ୍ଚଳକୁ ସିଏମ୍ସି ପ୍ରାଥମିକତା ଦେଇଛି। ମିଳିତ ଏନ୍ଫୋର୍ସମେଣ୍ଟ ଟିମ୍ ବିଭିନ୍ନ ଓପିଡି, ଆଇପିଡି ଓ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରର ସଙ୍ଗରୋଧ ସୁବିଧା ଉପରେ ନିୟମିତ ଯାଞ୍ଚ କରୁଛି। ଏସ୍ସିବି ମେଡିକାଲ କଲେଜ୍, ଶିଶୁଭବନ ଓ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରେ ଲକ୍ଷଣଯୁକ୍ତ ରୋଗୀଙ୍କ ଚିହ୍ନଟ, ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ଆଣ୍ଟିଜେନ୍ ଟେଷ୍ଟ ପାଇଁ ତ୍ରିସ୍ତରୀୟ ପ୍ରୋଟୋକଲ ଅବଲମ୍ବନ କରାଯାଉଛି। ବିଭିନ୍ନ ଜରୁରୀ, ଅଣଜରୁରୀ, ପାଇକାରୀ ଓ ଖୁଚୁରା ଦୋକାନର ସମୟ ର୍ନିିଣ୍ଟ ଉପରେ ଦୃଷ୍ଟି ରଖାଯାଇଛିି। ଗର୍ଭବତୀ, ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଓ ୫ ବର୍ଷରୁ କମ୍ ବୟସର ଶିଶୁଙ୍କ ସ୍ବାସ୍ଥ୍ୟ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ରଖାଯାଇଛି। ୨୨ ଅଗଷ୍ଟ ସୁଦ୍ଧା ସିଏମ୍ସିରେ ୩୧୦୪ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୮୬୦ ଜଣ ସୁସ୍ଥ ହୋଇଛନ୍ତି। ୧୨୨୭ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି। ଅଗଷ୍ଟ ୮ରୁ ୨୧ ମଧ୍ୟରେ ୨୬, ୭୪୮ କୋଭିଡ୍ ଟେଷ୍ଟ ହୋଇଛି। ଏଥିରୁ ୧୫୬୦ ପଜିଟିଭ ବାହାରିଛି।
ଜିଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି ଯେ, କଟକ ଜିଲାରେ ଆର୍ଟି- ପିସିଆର ଓ ଆଣ୍ଟିଜେନ୍ ଟେଷ୍ଟିଂ ବ୍ୟବସ୍ଥାରେ ୬୯,୨୧୭ ନମୁନା ପରୀକ୍ଷା କରାଯାଇଛି। ସେଥିରେ ୫,୧୭୪ ପଜିଟିଭ ବାହାରିଛି। ୧,୭୩୪ ଜଣ ଚିକିତ୍ସିତ ହେଉଛନ୍ତି। ଚଳିତ ସପ୍ତାହରେ ଜିଲାର ସୁସ୍ଥ ହାର ୬୫.୭୭ ପ୍ରତିଶତ ରହିଛି। ଜିଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୫ କୋଟି ଟଙ୍କା ମଞ୍ଜୁର ହୋଇଛି। ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନ, ଆଠଗଡ଼ସ୍ଥିତ ଜିମ୍ସାର ସମେତ ବିଭିନ୍ନ କୋଭିଡ୍ କେୟାର ହୋମ୍ରେ ସ୍ବାସ୍ଥ୍ୟସେବା ସୁବିଧା ବଢ଼ାଇବା ପାଇଁ ୬ କୋଟି ୮୪ ଲକ୍ଷ ୯୩ ହଜାର ଟଙ୍କା ଦିଆଯାଇଛି। ଏସ୍ସିବି ମେଡିକାଲ୍ କଲେଜରେ ୧୬୮ ଜଣ ପ୍ଲାଜମାଦାତାଙ୍କଠାରୁ ୩୩୬ ୟୁନିଟ୍ ପ୍ଲାଜମା ସଂଗୃହୀତ ହୋଇଛି। ସେଥିରୁ ୨୮୭ ୟୁନିଟ୍ ପ୍ଲାଜମା ଗୁରୁତର କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ଦିଆଯାଇଛି।