ବଲାଙ୍ଗୀର,୨୮।୨ (ସୁନିଲ କୁମାର ମହାନ୍ତି): ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଫଳ ବଜାର ପ୍ରାଙ୍ଗଣରେ କଳିଙ୍ଗ ବଡିବିଲଡିଂ ଆସୋସିଏଶନ ବଲାଙ୍ଗୀର ଶାଖା ତରଫରୁ ଇମ୍ପେରିୟାଲ କ୍ଲାସିକ ୨୦୨୬ ଷ୍ଟେଟ ଲେବଲ ବଡି ବିଲଡିଂ ଏବଂ ଫିଟନେସ ଚମ୍ପିୟାନସିପ୍ ଶନିବାର ଉଦ୍ଘାଟନ ହୋଇଯାଇଛି । ଏହି ଚମ୍ପିୟାନସିପ୍କୁ ବଲାଙ୍ଗୀରର ବରିଷ୍ଠ ଆଇନଜ୍ଞ ଅମରେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଉଦ୍ଘାଟନି ସଭାରେ ମିଶ୍ର କହିଥିଲେ, ବଡିଂ ବିଲଡିଂ ଏବଂ ଫିଟନେସ ପ୍ରତିଯୋଗିତାରେ ଭାଗ ନେଉଥିବା ଖେଳାଳିମାନେ ବହୁତ ଶୃଙ୍ଖଳା ସହିତ ନିଜର ଶରୀର ଗଠନ କରିଥାନ୍ତି । ଅନେକ ତ୍ୟାଗ ଓ ଶୃଙ୍ଖଳା ହିଁ ଜଣେ ଖେଳାଳିକୁ ବଡି ବଲଡିଂ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ପ୍ରଦାନ କରିଥାଏ । ଏପରି ଏକ ଖେଳ ପ୍ରତିଯୋଗିତାର ଆୟୋଜନ ପ୍ରତ୍ୟେକ ବର୍ଷ କଳିଙ୍ଗ ବଡି ବିଲଡିଂ ଏସୋସିଏସନର ବଲାଙ୍ଗୀର ଜିଲା ଶାଖା ଆୟୋଜନ କରୁଥିବାରୁ ସେମାନେ ପ୍ରଶଂସାର ପାତ୍ର ।
ଏହି ପ୍ରତିଯୋଗିତା ଆଗାମୀ ଦିନରେ ଆହୁରି ସୁଦୂର ପ୍ରସାରିତ ହେଉ ବୋଲି ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ। ରାଜ୍ୟସ୍ତରୀୟ ଚମ୍ପିୟାନସିପ୍ ରେ ୧୯ଟି ଜିଲାରୁ ୧୨୫ ଜଣ ଖେଳାଳି ଭାଗ ନେଇଛନ୍ତି । ପୁରୁଷ ବଡି ବିଲଡିଂ ରେ ୭ଟି ବିଭାଗ, ପୁରୁଷ ଫିଜିକ୍ ରେ ୨ଟି ବିଭାଗ, ମାଷ୍ଟର କେଟାଗୋରିର ୪୦ ବର୍ଷ ବର୍ଗରେ ଗୋଟିଏ ବିଭାଗ ଏବଂ ମହିଳା ବିଭାଗରେ ପ୍ରତିଯୋଗିତାର ଆୟୋଜନ ହେବ । ଏହି ପ୍ରତିଯୋଗିତା ବିଭିନ୍ନ ଶରୀର ଓଜନ ବର୍ଗରେ ଅନୁଷ୍ଠିତ ହେଉଥିବା ବେଳେ ପ୍ରତିଯୋଗିତାର ସଫଳ ରୂପାୟନ କରିବା ପାଇଁ ଜାତୀୟ ସ୍ତର ବିଚାରକ ସନ୍ତୋଷ ମହାନ୍ତି, ଏମ୍.କେ.ସ୍ୱାଇଁ, ନିଶାନ୍ତ ବହିଦାର, ବାଳକୃଷ୍ଣ ବାଗ ଓ ଅମିତାବ ପରିଡା ମଂଚ ସମ୍ମୁଖରେ ସମସ୍ତ ବର୍ଗର ପ୍ରତିଯୋଗିତାର ବିଚାରକ ଭୂମିକା ତୁଳାଇବେ । ଉଦ୍ଘାଟନି ମଂଚରେ ମୁଖ୍ୟ ଅତିଥି ଅମରେନ୍ଦ୍ର ମିଶ୍ରଙ୍କ ସହ ରାଜ୍ୟ ସଂପାଦକ କଳିଙ୍ଗ ବଡି ବିଲଡିଂର ରାଜ୍ୟ ସାଧାରଣ ସଂପାଦକ ସନ୍ତୋଷ ମହାନ୍ତି, ରାଜ୍ୟ ଉପ-ସଭାପତି ଏମ୍.କେ. ସ୍ୱାଇଁ, ଯୁଗ୍ମ ସଂପାଦକ ନିଶାନ୍ତ ବହିଦାର, ରାଜ୍ୟ ସଂଗଠନ ସଂପାଦକ ବାଳକୃଷ୍ଣ ବାଗ, ଗୋପାଳ କୃଷ୍ଣ ବାଗ, ସମ୍ବଲପୁର ଜିଲ୍ଲା ସଂପାଦକ ଅମିତାବ ପରିଡା, କୋଷାଧ୍ୟକ୍ଷ ସୁବାଷ ଚନ୍ଦ୍ର , ବଲାଙ୍ଗିର ଜିଲ୍ଲା ସଭାପତି ତନମୟ ପାଣିଗ୍ରାହୀ, ନୂଆଁପଡା ସଂପାଦକ ସୌରଭ ସାହୁ, ରାୟଗଡା ସଂପାଦକ ଦୀପୁ ମାଝି ଓ କେବିବିଏ ଅଧିକାରୀ ସଂଗ୍ରାମ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।