ଅପରେଶନ ସିନ୍ଦୂର ପରେ ପାକିସ୍ତାନ ପାଇଁ IMFର ବଡ଼ ଚେତାବନୀ: ଲଗାଇଲା ୧୧ କଡ଼ା ସର୍ତ୍ତ

ଇସଲାମାବାଦ,୧୯।୫: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ପାକିସ୍ତାନକୁ ୧ ବିଲିୟନ ଡଲାର ବେଲଆଉଟ ପ୍ୟାକେଜ ଘୋଷଣା କରିଛି। ବେଲଆଉଟ ପ୍ୟାକେଜର ପରବର୍ତ୍ତୀ ପର୍ଯ୍ୟାୟ ଜାରି କରିବା ପାଇଁ IMF ପାକିସ୍ତାନ ଉପରେ ୧୧ଟି ନୂତନ ସର୍ତ୍ତ ରଖିଛି। ଏହା ସହିତ, IMF ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛି।

IMF ପାକିସ୍ତାନକୁ ଚେତାବନୀ ଦେଇଛି ଯେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା କାର୍ଯ୍ୟକ୍ରମର ଆର୍ଥିକ, ବାହ୍ୟ ଏବଂ ସଂସ୍କାର ଲକ୍ଷ୍ୟ ପ୍ରତି ବିପଦ ବଢ଼ାଇପାରେ। ଏପରକି ନୂତନ ସର୍ତ୍ତଗୁଡ଼ିକ ମଧ୍ୟରେ ଆଗାମୀ ଆର୍ଥିକ ବର୍ଷର ବଜେଟ ପାଇଁ ସଂସଦର ଅନୁମୋଦନ ଅନ୍ତର୍ଭୁକ୍ତ। IMF ରିପୋର୍ଟରେ କୁହାଯାଇଛି ଯେ, ପାକିସ୍ତାନର ମୋଟ ବଜେଟ ଆକାର ୧୭,୬୦୦ ବିଲିୟନ ଟଙ୍କା। ଏଥିମଧ୍ୟରୁ ୧,୦୭୦୦ ବିଲିୟନ ଟଙ୍କା ବିକାଶମୂଳକ କାର୍ଯ୍ୟ ପାଇଁ ରହିବ। ଏପରିକି ବିଦ୍ୟୁତ୍‌ ବିଲ ଉପରେ ଋଣ ସେବା ସରଚାର୍ଜରେ ବୃଦ୍ଧି କରାଯାଇଛି। ସେହିପରି ତିନି ବର୍ଷରୁ ପୁରୁଣା କାର୍‌ ଆମଦାନୀ ଉପରେ ପ୍ରତିବନ୍ଧକ ଉଠାଇବା ଅନ୍ତର୍ଭୁକ୍ତ ରହିଛି।

IMF ରିପୋର୍ଟରେ ଆଗାମୀ ଆର୍ଥିକ ବର୍ଷ ପାଇଁ ପ୍ରତିରକ୍ଷା ବଜେଟ ୨,୪୧୪ ବିଲିୟନ ଟଙ୍କା ଦର୍ଶାଯାଇଛି, ଯାହା ୨୫୨ ବିଲିୟନ ଟଙ୍କା କିମ୍ବା ୧୨ ପ୍ରତିଶତ ବୃଦ୍ଧି ହୋଇଛି।

ଭାରତ ସହିତ ବିବାଦ ବୃଦ୍ଧି ପାଇବା ପରେ ପାକିସ୍ତନ ସରକାର ଏହି ମାସର ଆରମ୍ଭରେ ପ୍ରତିରକ୍ଷା କ୍ଷେତ୍ର ପାଇଁ IMF ଆକଳନ ଅପେକ୍ଷା ୨,୫୦୦ ବିଲିୟନ ଟଙ୍କା କିମ୍ବା ୧୮ ପ୍ରତିଶତ ଅଧିକ ବ୍ୟୟବରାଦ କରିବାକୁ ସୂଚିତ କରିଛନ୍ତି। ୨୨ ଏପ୍ରିଲରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ, ଭାରତ ୬ ଏବଂ ୭ ମେ ମଧ୍ୟରାତ୍ରିରେ ’ଅପରେଶନ ସିନ୍ଦୂର’ ଅଧୀନରେ ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକ ଉପରେ ଆକ୍ରମଣ କରିଥିଲା। ଏହା ପରେ, ପାକିସ୍ତାନ ୮, ୯ ଏବଂ ୧୦ ମେରେ ଭାରତୀୟ ସାମରିକ ଘାଟି ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ୧୦ ମେରେ, ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ପାଇଁ ଦୁଇ ଦେଶ ମଧ୍ୟରେ ସହମତି ହୋଇଥିଲା।

Share