ବେଆଇନ ବାଲିଘାଟକୁ ବିରୋଧ: ତହସିଲଦାରଙ୍କୁ ହାଣି ମାରିଦେବାକୁ ଧମକ, ସେପଟେ ଧାରଣାରେ ବସିଲେ…

ଆନନ୍ଦପୁର/ହାଟଡିହୀ,୧୭।୧୦(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ତହସିଲ ଅନ୍ତର୍ଗତ କରଗୋଳା ଗ୍ରାମକୁ ଲାଗିଥିବା ବୈତରଣୀ ନଦୀର ବାଲି ଉତ୍ସକୁ ବେଆଇନ ଭାବେ ଉତ୍ତୋଳନ କରାଯାଇ ଚଢା ଦରରେ ବିକ୍ରି କରାଯାଉଛି। ବାଲିଘାଟ ପାଇଁ ଗ୍ରାମବାସୀଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ଜଙ୍ଗଲର ଶତାଧିକ ବଡ଼ ଗଛକୁ କାଟି ଦିଆଯାଇଛି। ଘଟଣାକୁ କେନ୍ଦ୍ରକରି ଜିଲାପାଳଙ୍କଠାରୁ ଆରମ୍ଭ କରି ଜିଲା ଖଣି ବିଭାଗ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନକୁ ଅବଗତି କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଉନାହିଁ। ବାଲିଘାଟରୁ ବେଆଇନ ଭାବେ ବାଲି ପରିବହନ ଅଭିଯୋଗ ପ୍ରସଙ୍ଗକୁ ନେଇ ଘଟଣାସ୍ଥଳକୁ ଯାଇଥିବା ହାଟଡିହୀ ତହସିଲଦାରଙ୍କୁ ହାଣି ମାରିଦେବାକୁ ବାଲି ମାଫିଆମାନେ ଧମକ ଦେଇଛନ୍ତି। ସେପଟେ ବେଆଇନ ଭାବେ ବାଲି ପରିବହନକୁ ବିରୋଧ କରି ଆନନ୍ଦପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଶତାଧିକ ଗ୍ରାମବାସୀ ଧାରଣାରେ ବସିଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,  ବାଲିଘାଟରୁ ବେଆଇନ ଭାବେ ବାଲି ଉତ୍ତୋଳନ ଏବଂ ପରିବହନ କରାଯାଉଛି। ଦୁଇ ଦିନ ଦିନ ପୂର୍ବେ ତହସିଲଦାରଙ୍କ ସମେତ ଖଣି ବିଭାଗ ଅଧିକାରୀ ମାନେ ସମ୍ପୃକ୍ତ ବାଲି ଘାଟ ନିକଟକୁ ଯାଇ ଟ୍ରେଞ୍ଚ ଖୋଳିବା ପାଇଁ ଆୟୋଜନ କରିବା ସହିତ ଚାରୋଟି ହାଇୱା ସିଜ କରିଥିଲେ ମଧ୍ୟ ଗାଡି ଗୁଡିକୁ ଛାଡି ଦେଇଥିଲେ। ଟ୍ରେଞ୍ଚ ମଧ୍ୟ ଖୋଳା ଗଲାନାହିଁ । ଫଳରେ ପୂର୍ବ ନିଷ୍ପତି ଅନୁସାରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଧାରଣାରେ ବସିବାକୁ ନିଷ୍ପତି ନେଇଛୁ । ତେବେ କାହା ଚାପରେ ଚପା ହେଉଛି ପ୍ରଶାସନ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ।

ଆନନ୍ଦପୁର ଉପଜିଲାପାଳ ନୀଳ ମାଧବ ସୁନା କହିଛନ୍ତି ଯେ ପ୍ରଶାସନିକ ସ୍ତରରେ ଏକ ଟିମ ଗଠନ କରାଯାଇ ବାଲି ମାଫିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅପର ପକ୍ଷେ ହାଟଡିହୀ ତହସିଲଦାର ଶିବବ୍ରତ ତ୍ରିପାଠୀ କହିଛନ୍ତି ଯେ ଲୋକଙ୍କ ଅଭିଯୋଗ ଆଧାରରେ ଖଣି ବିଭାଗ ଅଧିକରୀ ସହ ଘଟଣା ସ୍ଥଳକୁ ଯାଇଥିଲୁ। ଜାଗା ମାପଚୁପ କରାଯାଇଥିଲା । ବେଆଇନ ଭାବେ ବାଲି ପରିବହନ ଏବଂ ଗଛ କଟା ହୋଇଥିବା ପ୍ରାଥମିକ ଭାବେ ସ୍ପଷ୍ଟ ମଧ୍ୟ ହୋଇଥିଲା l ସେହି ସମୟରେ ଗ୍ରାମବାସୀ ମାନେ ମଧ୍ୟ ଆମ ସହ ଉପସ୍ଥିତ ଥିଲେ l ଗ୍ରାମବାସୀଙ୍କ ସହ ଆଲୋଚନା ପରେ ଟ୍ରେଞ୍ଚ ଖୋଳିବା କାର୍ଯ୍ୟ ଆରମ୍ଭ କରିଥିଲୁ । ଟ୍ରେଞ୍ଚ ଖୋଳିବା ସମୟରେ ୪୦ ରୁ ୫୦ ଜଣ ଲୋକ ସେଠାକୁ ଆସିଥିଲେ। ଟ୍ରେଞ୍ଚ ଖୋଲିଲେ ହାଣିକି ମାରି ଦେବୁ ବୋଲି ଧମକ ଦେଇଥିଲେ । ଏପରି ଧମକ ଶୁଣି ଆମ ସହ ଉପସ୍ଥିତ ଗ୍ରାମବାସୀ କୁଆଡେ ପଳାଇଥିଲେ। ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ଆମେ ଟ୍ରେଞ୍ଚ ଖୋଳିବା କାର୍ଯ୍ୟ ବନ୍ଦ କରି ଫେରି ଆସିଲୁ। ପରେ କେନ୍ଦୁଝର ଡ଼ିଡ଼ିଏମଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ଅଧିକ ସଂଖ୍ୟାରେ ଫୋର୍ସ ନେଇ ଟ୍ରେଞ୍ଚ ଖୋଳାଯିବ ବୋଲି ସେ କହିଥିଲେ ।