ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ ମିଳିତ ଭାବେ ସିଲ କରିଛନ୍ତି। ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଭବାନୀ ଶଙ୍କର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ସ୍ବାସ୍ଥ୍ୟ ବିଭାଗର ବିନା ଅନୁମତି ଓ କୌଣସି ବୈଧ ଲାଇସେନ୍ସ ନ ଥାଇ ମଙ୍ଗୁଳୁ ପ୍ରଧାନ ନାମକ ଜଣେ ଯୁବକ ଏହି ନର୍ସିଂହୋମ ଚଳାଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା। ପୂର୍ବରୁ ୨୦୨୫ ମସିହାରେ ଦୁଇ ଦୁଇ ଥର (ଜୁଲାଇ ୧୯ ଓ ଅଗଷ୍ଟ ୮) ଏହାକୁ ସିଲ କରାଯାଇଥିଲେ ମଧ୍ୟ କିଛି ଦିନ ପରେ ଏହା ପୁଣି ବେଆଇନ ଭାବେ କାର୍ଯ୍ୟକ୍ଷମ ହେଉଥିଲା।
ସୂଚନାଯୋଗ୍ୟ ଯେ, ଗତ ୨୦୨୫ ମେ’ ୧୧ ତାରିଖରେ ଏହି ନର୍ସିଂହୋମରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ଜଣେ ପ୍ରସୂତି (ରୋଜି ନାୟକ) ଏବଂ ତାଙ୍କ ନବଜାତ ଶିଶୁର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। କୌଣସି ବିଶେଷଜ୍ଞ ଡାକ୍ତର ନଥାଇ ଅନଭିଜ୍ଞ କର୍ମଚାରୀଙ୍କ ଦ୍ୱାରା ଅସ୍ତ୍ରୋପଚାର କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୂର୍ବରୁ ନର୍ସିଂହୋମ ମାଲିକ ମଙ୍ଗୁଳୁ ପ୍ରଧାନ ଏବଂ ଅନ୍ୟ ଦୁଇଜଣ ମହିଳା ସ୍ବାାସ୍ଥ୍ୟକର୍ମୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଶୁକ୍ରବାର ସାନଖେମୁଣ୍ଡି ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ, ଚିକିଟି ଏସଡିପିଓ ବିଶ୍ୱାମିତ୍ର ହରପାଲ, ଦିଗପହଣ୍ଡି ଆଇଆଇସି କିଶୋର କୁମାର ସାମଲ ଏବଂ ମେଡିକାଲ ଟିମ୍ଙ୍କ ଉପସ୍ଥିତିରେ ଏହାକୁ ପୁନର୍ବାର ସିଲ କରାଯାଇଛି। ଏନେଇ ଦିଗପହଣ୍ଡି ଥାନାରେ ମକଦ୍ଦମା ରୁଜୁ କରାଯାଇଥିବା ଆଇଆଇସି ସୂଚନା ଦେଇଛନ୍ତି।
Dharitri – Odisha’s No.1 Odia Daily