ବରଗଡ଼,୧୫।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମରେ ଗୁରୁବାର ସାରେ ବେଆଇନ ମଦ କାରବାର ନେଇ ଚଢାଉ ସମୟରେ ଅବକାରୀ ବିଭାଗର ଏକ ଟିମ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଜଣେ ଅବକାରୀ କନଷ୍ଟେବଳ ରାଜେଶ ରାଉତ ଆହତ ହୋଇଥିବା ବେଳେ ଅଭିଯୁକ୍ତମାନେ ଅବକାରୀ ବିଭାଗର ଗାଡି ମଧ୍ୟ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଏ ନେଇ ଏତଲା ପାଇବା ପରେ ବରଗଡ଼ ଟାଉନ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, କଟାପାଲି ଗ୍ରାମର ନରେଶ ବେହେରାଙ୍କ ଗାଡ଼ି ଯାଞ୍ଚ ବେଳେ ଅବକାରୀ ଟିମ ବିପୁଳ ପରିମାଣର ମହୁଲି ମଦ ଜବତ କରିଥିଲେ । ତେବେ ଚଢାଉ ସମୟରେ ନରେଶ ଏବଂ ତାଙ୍କ ସ୍ତ୍ରୀ ରୀତା, ପୁଅ ସହଦେବ ମଦ ଛଡାଇବାର ଉଦ୍ୟମ କରିବା ସହ ଅବକାରୀ ବିଭାଗର କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ କନେଷ୍ଟବଳ ରାଜେଶ ରାଉତ ଲହୁଲୁହାଣ ହୋଇଥିଲେ । ସେହିପରି ଅବକାରୀ ବିଭାଗର ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରାଯାଇଥିଲା । ଅବକାରୀ ବିଭାଗ ମଦବେପାରୀ ନରେଶ ଏବଂ ତାଙ୍କ ସ୍ତ୍ରୀ ରୀତାଙ୍କୁ ଗିରଫ କରିଛି । ଏ ନେଇ ଅବକାରୀ ବିଭାଗ ପକ୍ଷରୁ ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ବୋଲି ଅବକାରୀ ଥାନା ଆଇଆଇସି ସ୍ବପ୍ନାରାଣୀ ଟେଟେ କହିଛନ୍ତି।